ନବରଂଗପୁର ଠାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

8


ନବରଙ୍ଗପୁର, ତା. ୧୯.୦୮.୨୦୨୬: ଜିଲ୍ଲାର ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ଗତିଶୀଳ କରିବା ପାଇଁ ଗତକାଲି ତା ୧୮.୮.୨୦୨୬ ରିଖ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ମଣ୍ଡଳି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ଡ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବିଶ୍ଵଜିତ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ବିଧାୟକ ପ୍ରତିନିଧି ଏ ସୁରେଶ ଶାସ୍ତ୍ରୀ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ କେ କନ୍ଧପାଣି, ପି ଏ,ଆଇ ଟି ଡି ଏ ରାଜୀବ ସାହୁ, ଡି ଇ ଓ ଛତ୍ରପତି ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ,ନବରଙ୍ଗପୁର,ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷଗୁମୁଡ଼ା ବି ଡି ଓ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ଚାଲୁ ରହିଥିବା ଉନ୍ନୟନମୂଳକ କାର୍ଯ୍ୟ, ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ଭିତ୍ତିଭୂମି ବିକାଶ ଏବଂ ଜନସାଧାରଣଙ୍କ ସୁବିଧା ସୁଯୋଗ ବୃଦ୍ଧି ସମ୍ପର୍କରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା କରାଯାଇଥିଲା। ଜିଲ୍ଲାର ସମସ୍ତ ବର୍ଗର ଲୋକଙ୍କ ନିକଟରେ ସରକାରୀ ଯୋଜନା ଓ ସେବାକୁ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ନବରଙ୍ଗପୁର ଜିଲ୍ଲାର ପ୍ରାକୃତିକ ଓ ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ଲୋକପ୍ରିୟ କରିବା ପାଇଁ ମଙ୍ଗରଡୋରା ଜଳପ୍ରପାତ ଓ ଇକୋ-ଟୁରିଜିମ୍ ପାର୍କ ସମ୍ପର୍କରେ ସୂଚନା ପ୍ରଦାନ ନିମନ୍ତେ ସର୍କିଟ୍ ହାଉସ୍ ଛକ ଓ କୁର୍ମାକୋଟ ଠାରେ ଏଲ୍‌ଇଡି ସୂଚନା ଫଳକ ସ୍ଥାପନ କରାଯିବ। ଏଥିସହ ଜିଲ୍ଲାର ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଆବଶ୍ୟକ ସାଇନେଜ୍ ବୋର୍ଡ ସ୍ଥାପନ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଭଟିଗାଁସ୍ଥିତ ସିତଳି ଜଳପ୍ରପାତ ଏବଂ କୁସୁମଝୋର ଅଞ୍ଚଳରେ ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସମ୍ଭାବ୍ୟତା ଅନୁସନ୍ଧାନ କରାଯିବ। VBSY-GRAMYA ଯୋଜନା ଅଧୀନରେ ଜିଲ୍ଲାର ବିଭିନ୍ନ ବ୍ଲକରେ ବୃହତ୍ ଚେକ୍ ଡ୍ୟାମ୍ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ।
ସମସ୍ତ ବିଦ୍ୟାଳୟ ହଷ୍ଟେଲ ଓ ଅଙ୍ଗନୱାଡି କେନ୍ଦ୍ରରେ ଥିବା ଜଳ ଟାଙ୍କିର ନିୟମିତ ସଫେଇ ସହ ସୌରଚାଳିତ ଜଳ ଟାଙ୍କି ସ୍ଥାପନ ଉପରେ ପଦକ୍ଷେପ ନିଆଯିବ। କୋଷାଗୁମୁଡା ବ୍ଲକର ଉକାପାଲ୍ଲୀ, ବସୁନି ଆଦି ଗ୍ରାମରେ ମେଗା ଲିଫ୍ଟ ଜଳସେଚନ ପଏଣ୍ଟ ସ୍ଥାପନ ପାଇଁ ଆବଶ୍ୟକ ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଯିବ।
ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ନବନିର୍ମିତ ସାନମୋସିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶୀଘ୍ର ପାନୀୟ ଜଳ ଓ ବିଦ୍ୟୁତ୍ ସଂଯୋଗ ଯୋଗାଇ ଏହାକୁ ଲୋକାର୍ପଣ କରିବା ପାଇଁ ପଦକ୍ଷେପ ନିଆଯିବ।
ଏଥିସହ ଖାତିଗୁଡା ପ୍ରୋଜେକ୍ଟ ସହରର ସାମଗ୍ରିକ ବିକାଶକରିବା, ବସଷ୍ଟାଣ୍ଡ ର ଉନ୍ନତିକରଣ,କୋଡିଙ୍ଗା PHCକୁ CHCରେ ଉନ୍ନୀତ କରିବା ଏବଂ ରାଇଘରଠାରେ ନୂତନ CHC ପ୍ରତିଷ୍ଠା ପାଇଁ ଆବଶ୍ୟକ ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ନୂତନ ପଞ୍ଜିକରଣ କାଉଣ୍ଟର ନିର୍ମାଣ କରାଯିବ।
ନବରଙ୍ଗପୁର ସହରର ସୌନ୍ଦର୍ଯ୍ୟୀକରଣ ଓ ଭିତ୍ତିଭୂମି ବିକାଶ ପାଇଁ ସହର ପ୍ରବେଶ ପଥରେ ସ୍ୱାଗତ ତୋରଣ ନିର୍ମାଣ, ହସ୍ପିଟାଲ ଛକ ଅଞ୍ଚଳରେ ରିଙ୍ଗ୍ ରୋଡ୍ ନିର୍ମାଣ, ଡୋଙ୍ଗରୀଗୁଡାଠାରେ ଗୋଶାଳା ସ୍ଥାପନ ଏବଂ ସହରର ବିଭିନ୍ନ ପୋଖରୀର ନବୀକରଣ ପାଇଁ ପଦକ୍ଷେପ ନିଆଯିବ।
ଗୃହହୀନ ଲୋକଙ୍କ ପାଇଁ ଆବାସିକ ଆପାର୍ଟମେଣ୍ଟ ନିର୍ମାଣ ସହ ୧୦୦୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ଅଡିଟୋରିୟମ୍ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ LIC କଲୋନୀଠାରେ ଇ-ଲାଇବ୍ରେରୀ ଓ ବହୁତଳ ପାର୍କିଂ ବ୍ୟବସ୍ଥା ନିର୍ମାଣ ଉପରେ ମଧ୍ୟ ଆଲୋଚନା ହୋଇଛି।ନଦାହଣ୍ଡି ବ୍ଲକର ଡଙ୍ଗରଭେଜା ଓ ନନ୍ଦା ହାଣ୍ଡି ଗ୍ରାମର ନେଟୱର୍କ ସମସ୍ୟା କୁ ଦୂରୀଭୂତ କରାଯିବ।
ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ଓ କୋଷାଗୁମୁଡା ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ ଏବଂ ନବରଙ୍ଗପୁର ଷ୍ଟାଡିୟମର ସାମଗ୍ରିକ ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯିବ।କୋଷାଗୁମୁଡାଠାରେ ଗ୍ରୀଡ୍ ସବ୍-ଷ୍ଟେସନ୍ ସ୍ଥାପନ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ।
ନବରଙ୍ଗପୁର ସହରର ଚାଇନା ମାର୍କେଟ୍ ନିକଟରେ ଆଧୁନିକ ମାଛ ବଜାର ନିର୍ମାଣ, ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫ୍ଲୋଟିଂ ଜେଟି ସ୍ଥାପନ ଏବଂ ମତ୍ସ୍ୟଚାଷର ବ୍ୟାପକ ବିକାଶ ପାଇଁ ପଦକ୍ଷେପ ନିଆଯିବ। ଇନ୍ଦ୍ରାବତୀ ବନ୍ଧ ଅଞ୍ଚଳରେ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ନର୍ସରୀ ସ୍ଥାପନ ପାଇଁ ଯୋଜନା କରାଯିବ।
ଜନସାଧାରଣଙ୍କ ସୁବିଧା ପାଇଁ ଆଧାର କାର୍ଡରେ ନାମ ସଂଶୋଧନ ସମ୍ପର୍କିତ କ୍ଷମତାକୁ ଜିଲ୍ଲା ସ୍ତରକୁ ହସ୍ତାନ୍ତର କରିବା ନେଇ ପଦକ୍ଷେପ ନିଆଯିବ। ଜିଲ୍ଲା ମୁଖ୍ୟାଳୟରେ ହସ୍ତଶିଳ୍ପ ଓ ବୟନଶିଳ୍ପ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ଆବଶ୍ୟକ ପ୍ରସ୍ତାବ ଦିଆଯିବ।ଏଥିସହ PM ଆଦର୍ଶ ଗ୍ରାମ ଯୋଜନାର ବକେୟା ୧.୬୦ କୋଟି ଟଙ୍କା ପ୍ରଦାନ ଏବଂ AONO ଯୋଜନାର ବକେୟା ବିଲ୍ ପରିଶୋଧ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ।
ବୈଠକରେ ଗ୍ରହଣ କରାଯାଇଥିବା ସମସ୍ତ ନିଷ୍ପତ୍ତିର ସଠିକ୍ ଓ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ସମ୍ପର୍କିତ ନିଷ୍ପତ୍ତିଗୁଡିକର ଅଗ୍ରଗତି ନିୟମିତ ଭାବେ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବା ଓ ସୁନିଶ୍ଚିତ କରିବାକୁ ମାନ୍ୟବର ବିଧାୟକ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.