ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ଅଭିନବ ଚିନ୍ତାଧାରା ଓ ସମସ୍ୟା ସମାଧାନର ଏକ ଅନନ୍ୟ ମଞ୍ଚ ‘ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍ ୩.୦’ ଏବଂ ‘ଓଡ଼ିଆ ପ୍ରେନ୍ୟୁର୍ – ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍’ର ଗଜପତି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ମ୍ୟୁନିସିପାଲିଟି ହାଇସ୍କୁଲର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ , ଗଜପତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ନବସୃଜନଶୀଳ ଚିନ୍ତାଧାରା ଓ ବୈଜ୍ଞାନିକ ମନୋଭାବର ପ୍ରଶଂସା କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ , ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ୱାଇ. କ୍ରିଷ୍ଣାରାଓ , ୟୁନିସେଫ ପକ୍ଷରୁ ପର୍ଯ୍ୟବେକ୍ଷକ ଶ୍ରୀମତୀ ଜୟ ଜ୍ୟୋତି ପଣ୍ଡା ଏବଂ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ।
ପ୍ରତିଯୋଗିତାର ବିଚାରକ ଭାବେ ଭୁବନେଶ୍ୱର ଆଇ.ଆଇ.ଟି ର ଇନକୁବେସନ ଏଣ୍ଡ ପାର୍ଟନରସିପ ବିଭାଗ ମୁଖ୍ୟ ଶ୍ରୀ ଶକ୍ତି ସ୍ୱରୂପ ପତି ଏବଂ ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଶ୍ରୀମତି ସଞ୍ଜୁକ୍ତା ପାତ୍ର ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ।
କଇଠପଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସନ୍ତୋଷିନୀ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ମହେନ୍ଦ୍ରଗିରି ହାଇସ୍କୁଲର ପ୍ରଧାନଶିକ୍ଷକ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଆୟୋଜନରେ ସକ୍ରିୟ ଭୂମିକା ନିଭାଇବା ସହ କାର୍ଯ୍ୟକ୍ରମର ଆୟୋଜନ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ।
ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ ଏବଂ ଅହରହ ଚେଷ୍ଟା କରିବା ପାଇଁ ଉପଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ସାହୁ ଏହି ଶିଶୁ ବୈଜ୍ଞାନିକ ମାନଙ୍କୁ ଆହୁରି ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ର ବ୍ୟବହାର କରିବା ପାଇଁ ଆହ୍ୱାନ କରିଥିଲେ।
ଏହି ହ୍ୟାକାଥନ୍ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ମୋଟ ୧୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ କୋଡିଙ୍ଗ , ଅରଡ୍ୟୁନୋ ଏବଂ ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରି ବିଭିନ୍ନ ସମସ୍ୟାର ନୂତନ ଓ ବ୍ୟବହାରିକ ସମାଧାନ ଉପସ୍ଥାପନ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମର ସମନ୍ୱୟ ଦାୟିତ୍ୱ ପାରଳାଖେମୁଣ୍ଡି ସ୍ଥିତ ପି.ଏମ୍.ଶ୍ରୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରି ଶ୍ରୀମତି ସୁଲତା ଶୁଭଦର୍ଶିନୀ ତୁଲାଇଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ନିଯୁକ୍ତ କମିଟି ସଦସ୍ୟ ମାନେ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ। ୩ ଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲା। ପ୍ରଥମ ପୁରସ୍କାର ସୁଶ୍ରୀ ଶ୍ରଦ୍ଧାଞ୍ଜଳି ପଣ୍ଡା , ଓଏଭି , କଇଠପଦର ୨୦,୦୦୦ ଟଙ୍କା , ଦ୍ୱିତୀୟ ପୁରସ୍କାର ସୁଶ୍ରୀ ସୁକୁମାରୀ କାର୍ଯୀ , ଓଏଭି କଇଠପଦର ୧୫,୦୦୦ ଟ ଏବଂ ତୃତୀୟ ପୁରସ୍କାର କ୍ରିଷ୍ଟିନା ଗମାଙ୍ଗ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେରଙ୍ଗ ୧୦, ୦୦୦ ଟ ପୁରସ୍କାର ହାସଲ କରିଥିଲେ।
ମହେନ୍ଦ୍ରଗିରି ହାଇସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.