ବିଜେପୁର : ହାତରେ ଜାତୀୟ ପତାକା, ମୁହଁରେ ଦେଶପ୍ରେମର ନାରା ଏବଂ ମନରେ ମାତୃଭୂମି ପ୍ରତି ସମ୍ମାନ। ଏଭଳି ଦେଶପ୍ରେମର ଭାବନାରେ ଗୁଞ୍ଜରିତ ହୋଇଥିଲା ବରପାଲି ସହର।ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବରପାଲିରେ ଅନୁଷ୍ଠିତ ହୋଇ ଦେଶପ୍ରେମ ଓ ଜାତୀୟ ଏକତାର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି।ପଞ୍ଚାୟତ ସମିତି ବରପାଲିର ଆନୁକୂଲ୍ୟରେ ଏବଂ ବିଜେପୁର ବିଧାୟକ ସନତ କୁମାର ଗଡତିୟାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଶାଳ ରାଲି ଆୟୋଜିତ ହୋଇଥିଲା।ଏଥିରେ ବରପାଲି ସ୍ନାତକ ମହାବିଦ୍ୟାଳୟ, ସ୍ନାତକ ମହିଳା ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏକ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ସାମିଲ ହୋଇଥିଲେ।ବରପାଲି ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରୁ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା। ହଜାର ହଜାର ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ଶୃଙ୍ଖଳିତ ଭାବେ ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ଆଗକୁ ବଢ଼ିବା ସହ ‘ଭାରତ ମାତା କୀ ଜୟ’ ଓ ଦେଶପ୍ରେମର ବିଭିନ୍ନ ନାରାରେ ସମଗ୍ର ସହର ମୁଖରିତ ହୋଇଥିଲା।ରାସ୍ତା କଡ଼ରେ ଥିବା ସାଧାରଣ ଲୋକେ ମଧ୍ୟ ଏହି ଦୃଶ୍ୟକୁ ଉତ୍ସାହର ସହ ଦେଖିଥିଲେ।କେବଳ ଏକ ଶୋଭାଯାତ୍ରା ନୁହେଁ, ନୂଆ ପିଢ଼ିଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବାର ଏକ ପ୍ରୟାସ ଭାବେ ଏହି କାର୍ଯ୍ୟକ୍ରମକୁ ଦେଖାଯାଇଥିଲା। ଜାତୀୟ ପତାକା କେବଳ ଏକ ପତାକା ନୁହେଁ, ଏହା ଦେଶର ଗୌରବ, ଏକତା, ତ୍ୟାଗ ଓ ଅଖଣ୍ଡତାର ପ୍ରତୀକ ଏହି ଭାବନାକୁ ଛାତ୍ରଛାତ୍ରୀଙ୍କ ମନରେ ପହଞ୍ଚାଇବା ଥିଲା ରାଲିର ମୁଖ୍ୟ ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମରେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଦୀନେଶ ଗହୀର, ଭୁବନ ମହାପାତ୍ର, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରିନା ଥଇତ, ବରପାଲି ବ୍ଲକ ଅଧ୍ୟକ୍ଷା, ବରପାଲି ନଗର ମଣ୍ଡଳ ସଭାପତି ପ୍ରତାପ କେଶରୀ, ପ୍ରଦୀପ ପଧାନ, ପ୍ରଶାନ୍ତ ସାହୁଙ୍କ ସମେତ ବହୁ ଜନପ୍ରତିନିଧି ଓ ବିଭିନ୍ନ ମହଲର ବ୍ୟକ୍ତିବିଶେଷ ଯୋଗଦେଇଥିଲେ।ଏହି ଅବସରରେ ଉଭୟ ମହାବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ଛାତ୍ରଛାତ୍ରୀଙ୍କ ସହ ଶୋଭାଯାତ୍ରାରେ ଚାଲିଥିଲେ। ରାଲିକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବାରେ ସମସ୍ତଙ୍କ ସହଯୋଗ ରହିଥିଲା।ଶୋଭାଯାତ୍ରାରେ ଯେଉଁ ଦୃଶ୍ୟ ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଥିଲା, ତାହା ହେଲା ଛାତ୍ରଛାତ୍ରୀଙ୍କ ହାତରେ ଫରଫର ହୋଇ ଉଡ଼ୁଥିବା ତ୍ରିରଙ୍ଗା। ଏହା ସମସ୍ତଙ୍କୁ ଦେଶ ପାଇଁ ଏକାଠି ହେବା ଏବଂ ଦେଶର ଗୌରବକୁ ସର୍ବଦା ଉଚ୍ଚରେ ରଖିବାର ପ୍ରେରଣା ଦେଇଥିଲା।ଶୋଭାଯାତ୍ରାକୁ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା ପାଇଁ ବରପାଲି ଥାନା ଆଇଆଇସି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ନିୟୋଜିତ ରହିଥିଲେ।ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଲି ସଫଳତାର ସହ ସମାପ୍ତ ହୋଇଥିଲା। ତ୍ରିରଙ୍ଗା ତଳେ ଏକତା, ଦେଶପ୍ରେମ ଓ ଦାୟିତ୍ୱର ସନ୍ଦେଶ ଦେଇ ବରପାଲିର ଏହି ଶୋଭାଯାତ୍ରା ଏକ ସ୍ମରଣୀୟ ଅନୁଭବ ପାଲଟିଥିଲା।