ପୁରୀ, ୧୨/୮: ସାଂପ୍ରତିକ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଅମ୍ଳଜାନ ମାନବ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ। ଅମ୍ଳଜାନର ଉତ୍ସ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକ ପ୍ରମୁଖ ପଦକ୍ଷେପ। ଏହି ବାର୍ତ୍ତା ନେଇ ବୁଧବାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ନିର୍ମାଲ୍ୟ’ ପକ୍ଷରୁ ବୃକ୍ଷରୋପଣ ଓ ପରିବେଶ ସଚେତନତା ଅଭିଯାନ ଆୟୋଜିତ ହୋଇଛି।
ପୁରୀ ମହାନଗର ନିଗମ ଅଧୀନରେ ନୂତନ ଭାବେ ସାମିଲ ହୋଇଥିବା ଆଳିକିଆ, ବାଟମଙ୍ଗଳା ନଗର ଅଞ୍ଚଳରେ ‘ନିର୍ମାଲ୍ୟ’ ପକ୍ଷରୁ ବଉଳ, ନିମ୍ବ, କଦମ୍ବ ଓ ଅଗସ୍ତି ଆଦି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା। ‘ନିର୍ମାଲ୍ୟ’ର ସମ୍ପାଦକ ତଥା ପ୍ରକୃତି ବନ୍ଧୁ ଡ. ବିଶ୍ୱନାଥ ମିଶ୍ରଙ୍କ ନେତୃତ୍ୱରେ ସଭାପତି ବଦ୍ରି ମିଶ୍ର, ପରିବେଶବିତ୍ ସରୋଜ ଜେନା, ଗଙ୍ଗାଧର ଦାଶ, ହେମନ୍ତ ନାୟକ, ଦୁଷ୍ମନ୍ତ ସାହୁ, ଶିବରାମ ପ୍ରଧାନ, ଶ୍ୟାମପ୍ରକାଶ ସେନାପତି, ଶିବସୁନ୍ଦର ମିଶ୍ର, ତାପସ ନାୟକ, ପ୍ରଶାନ୍ତ ନାୟକ ଓ ଅଭିଜିତ ରାଉତ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ନେଇ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା। ଅଧିକରୁ ଅଧିକ ଗଛ ଲଗାଇ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ଅନୁଷ୍ଠାନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।
ଆଗାମୀ ସେପ୍ଟେମ୍ବର ମାସରେ ବ୍ରହ୍ମଗିରି ବାଲି ହରଚଣ୍ଡି ସଂଲଗ୍ନ ଗ୍ରାମାଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ‘ନିର୍ମାଲ୍ୟ’ର ସମ୍ପାଦକ ସୂଚନା ଦେଇଛନ୍ତି।