ବଟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳିତ/ ମହାପ୍ରଭୁଙ୍କୁ ଲାଗି ହେଲା ଦୁଇଟି ଗ୍ରନ୍ଥ/ “ଆରତ ନାଶନ ଶ୍ରୀଜଗନ୍ନାଥ” ଓ “ଯାତ୍ରାପ୍ରିୟ ଶ୍ରୀଜଗନ୍ନାଥ” ମହାପ୍ରଭୁଙ୍କୁ ଅର୍ପଣ ହେଲା
ଜଗତସିଂହପୁର: ୧୬.୭.୨୦୨୬: ଆଜି ଜଗତସିଂହପୁରର ଅନନ୍ଯ ଆଧ୍ଯାତ୍ମିକ କ୍ଷେତ୍ର ବଟଶ୍ରୀକ୍ଷେତ୍ରଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ଯଥାରୀତି ଦେବନୀତି ସମାପନ ହୁଅନ୍ତେ ଅଣସର ବେଦୀରେ ଆଳତି ଓ ବନ୍ଦାପନା ପରେ ଶ୍ରୀଜୀଉମାନେ ଧାଡି ପହଣ୍ଡିରେ ରଥାରୁଢ ହୋଇଥିଲେ। ରଥଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପରେ ବଟଶ୍ରୀକ୍ଷେତ୍ରର ଠାକୁର ରାଜା ଶ୍ରୀ ନୀଳକଣ୍ଠ ଶତପଥି ଛେରା ପହଁରା କରିଥିଲେ।
ଏହି ପବିତ୍ର ଉତ୍ସବ ପାଳନ ଅବସରରେ ବଟଶ୍ରୀକ୍ଷେତ୍ର ଚାରିଟେବଲ ଟ୍ରଷ୍ଟର ଅଧ୍ଯକ୍ଷ ଡ. ଅଭୟ କୁମାର ନାୟକଙ୍କ ଦ୍ବାରା ଅତିବଡୀ ଜଗନ୍ନାଥ ଦାସଙ୍କ ଚରିତକୁ ନେଇ ରଚିତ “ଆରତ ନାଶନ ଶ୍ରୀଜଗନ୍ନାଥ” ଏବଂ ପଣ୍ଡିତ ଡ ରବୀନ୍ଦ୍ର ନାଥ ମିଶ୍ରଙ୍କ ରଚିତ “ଯାତ୍ରାପ୍ରିୟ ଶ୍ରୀଜଗନ୍ନାଥ” ରଥରେ ମହାପ୍ରଭୁଙ୍କୁ ଲାଗି ହେଲାପରେ ଲୋକାର୍ପିତ ହୋଇଥିଲା। ଲୋକାର୍ପିତ କରିଥିଲେ ବିଶିଷ୍ଠ ସାହିତ୍ଯିକ ଶ୍ରୀଯୁକ୍ତ ଭାଗିରଥୀ ଦାସ, ନିର୍ମାଲ୍ଯର ମୁଖ୍ଯ ସଂପାଦକ ଶ୍ରୀ ରବୀନ୍ଦ୍ର ନାଥ ନାୟକ, ଠାକୁର ରାଜା ଶ୍ରୀ ନୀଳକଣ୍ଠ ଶତପଥି, କବି ଉମେଶ ନାୟକ, ମହାମାୟ ନାୟକ, ପ୍ରାଧ୍ଯାପିକା ମଧୁସ୍ମିତା ସ୍ବାଇଁ ପ୍ରମୁଖ।
ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଁଚିଲା ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା। ଏହି ଭବ୍ଯ ଯାତ୍ରାକୁ ସଫଳ କରିବାପାଇଁ ଯେଉଁମାନେ ଆପ୍ରାଣ ସହଯୋଗ କରିଥିଲେ ସେମାନେ ହେଲେ ଶ୍ରୀଉମେଶ ନାୟକ, ଶ୍ରୀ ନରେନ୍ଦ୍ର ନାୟକ, ସମୀର ସ୍ବାଇଁ, ଶକ୍ତି ପ୍ରସାଦ ଦାସ, ଦିବ୍ଯଜିତ ସ୍ବାଇଁ, ଦୀପକ କୁମାର ମଲ୍ଲିକ, ପରମାନନ୍ଦ ନାୟକ, ସୁଶାନ୍ତ ସ୍ବାଇଁ, ମହେଶ୍ବର ନାୟକ, ରୁଦ୍ରପ୍ରତାପ ସ୍ବାଇଁ, ଉମାକାନ୍ତ ଗୋଛାୟତ, ଦିବ୍ଯଜିତ୍ ଏବଂ ଅକ୍ଷୟ ନାୟକ।