ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ( ଗୁରୁବାର ) ଚତୁର୍ଦ୍ଧାମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।
ଏହି ଅବସରରେ ପୂର୍ବାହ୍ନରେ ତିନି ଠାକୁରଙ୍କ ତିନି ରଥ ଯଥା -: ତାଳଧ୍ଵଜ , ଦର୍ପଦଳନ ଓ ନନ୍ଦିଘୋଷ ରଥ ପ୍ରତିଷ୍ଠା ଓ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀ ମନ୍ଦିରକୁ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମନ୍ଦିର ସେବାୟତ ଓ ରାଜପୁରୋହିତଙ୍କ ଦ୍ଵାରା ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତି ଅନୁଷ୍ଠିତ ହୋଇଥିଲା। ତା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ପ୍ରଭୁ ସୁଦର୍ଶନ ଙ୍କ ପହଣ୍ଡି ହେବା ପରେ ତିନି ଠାକୁରଙ୍କୁ ରଥ ଉପରକୁ ପହଣ୍ଡି ବିଜେ ହୋଇଥିଲା। ଏହି ଅବସରରେ ତିନି ଠାକୁରଙ୍କ ରଥ ଉପରେ ଛେରା-ପଅଁରା କାର୍ଯ୍ୟକ୍ରମ ପାଇଁ ରାଜ ପ୍ରାସାଦରୁ ସୁଶ୍ରୀ କଲ୍ୟାଣୀ ଗଜପତି ନାରାୟଣ ଦେବ ଆସି ତିନି ରଥ ଉପରେ କଲ୍ୟାଣୀ ଗଜପତି ନାରାୟଣ ଦେବ ଛେରା ପଅଁରା କାର୍ଯ୍ୟ ସମ୍ପନ୍ନ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ଦକ୍ଷିଣ ଆଳତି କାର୍ଯ୍ୟ ସମ୍ପନ୍ନ କରିଥିଲେ। ପାଗ ଅନୁକୂଳ ଥିବା ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ହୁଳହୁଳି , ଘଣ୍ଟ ଓ ଶଙ୍ଖନାଦ , ହରିବୋଲ ଓ ସଂକୀର୍ତ୍ତନ ପ୍ରଭୃତି ଧ୍ୱନିରେ ସମଗ୍ର ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା।
ଠାକୁରଙ୍କ ପହଣ୍ଡି ବେଳେ ରଥ ସମ୍ମୁଖରେ ଆକର୍ଷଣୀୟ ଓଡିଶୀ ନୃତ୍ୟ ଓ ମାହାରୀ ନୃତ୍ୟ ସ୍ଥାନୀୟ କଳାକାର ମାନେ ପରିବେଷଣ କରିଥିଲେ।
ଅପରାହ୍ନରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା।
ମା ସୁଭଦ୍ରାଙ୍କ ରଥକୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ।
ସେହିଭଳି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତୟନ ଥିଲେ।
Sign in
Sign in
Recover your password.
A password will be e-mailed to you.