ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି ପାଚିକା ବିବାଦ: ଶାନ୍ତି କମିଟିର ହସ୍ତକ୍ଷେପରେ ସାମୟିକ ସମାଧାନ

0

ଜାତିଗତ ଭେଦଭାବ ଅଭିଯୋଗକୁ ନେଇ ତଦନ୍ତ ଦାବି

ବଲାଙ୍ଗିର (ଶାସକ ପ୍ରଶାସକ) :- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ର ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ନିଯୁକ୍ତିକୁ କେନ୍ଦ୍ର କରି ଦୀର୍ଘଦିନ ଧରି ଚାଲିଥିବା ବିବାଦର ସାମୟିକ ସମାଧାନ ପ୍ରଶାସନର ହସ୍ତକ୍ଷେପରେ ହୋଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳ, ପୋଲିସ ଓ ବ୍ଲକ୍ ପ୍ରଶାସନଙ୍କ ଉପସ୍ଥିତିରେ ଆୟୋଜିତ ଶାନ୍ତି କମିଟି ବୈଠକରେ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ନୂତନ ମାତୃ କମିଟି ଗଠନ କରାଯାଇଛି। ସ୍ଥାୟୀ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଏହି କମିଟି ପିଲାଙ୍କ ରନ୍ଧାଖାଦ୍ୟ ଓ ବଣ୍ଟନ ଦାୟିତ୍ୱ ତୁଲାଇବ।

ବିବାଦର ମୂଳ କାରଣ ଭାବେ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଉଠିଥିବା ବେଳେ, ଅନ୍ୟପଟେ ନିଯୁକ୍ତ ପାଚିକା ପୁଣ୍ୟ ହରିପାଲଙ୍କ ଅଭିଯୋଗ ହେଉଛି ଯେ ସେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ କିଛି ବ୍ୟକ୍ତି ଜାତିଗତ ଭେଦଭାବ ମନୋଭାବରେ ତାଙ୍କୁ ପାଚିକା ଭାବେ ଗ୍ରହଣ କରିନଥିଲେ ଏବଂ ତାଙ୍କ ହାତରେ ପ୍ରସ୍ତୁତ ଖାଦ୍ୟ ଶିଶୁମାନେ ଖାଇବେ ନାହିଁ ବୋଲି କହି ଅଙ୍ଗନବାଡ଼ି କେନ୍ଦ୍ରକୁ ତାଲା ପକାଇଥିଲେ। ଏହି ଅଭିଯୋଗର ସ୍ୱାଧୀନ ଯାଞ୍ଚ ହେବା ବାକି ରହିଛି।

ଉପଜିଲ୍ଲାପାଳ କହିଛନ୍ତି ଯେ ପ୍ରାଥମିକ ତଦନ୍ତରେ ସ୍ପଷ୍ଟ ଅନିୟମିତତା ଜଣାପଡ଼ିନାହିଁ। ତେବେ ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗର ତଦନ୍ତ କରାଯିବ ଏବଂ କୌଣସି ତ୍ରୁଟି କିମ୍ବା ଆଇନ ଉଲ୍ଲଂଘନ ପ୍ରମାଣିତ ହେଲେ ଆବଶ୍ୟକ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯଦି ତଦନ୍ତରେ ଏହା ପ୍ରମାଣିତ ହୁଏ ଯେ କେବଳ ଜାତି ଆଧାରରେ ଜଣେ ନିଯୁକ୍ତ ପାଚିକାଙ୍କୁ ବିରୋଧ କରାଯାଇଛି, ଅପମାନିତ କରାଯାଇଛି କିମ୍ବା ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଇଛି, ତେବେ ପ୍ରଚଳିତ ଆଇନ ଅନୁଯାୟୀ ଯଥାଯଥ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଚାର କରାଯାଇପାରେ। ଘଟଣାର ପ୍ରକୃତ ତଥ୍ୟ ଓ ପ୍ରମାଣ ଆଧାରରେ ପୋଲିସ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ପଦକ୍ଷେପ ନେବେ।
ପାଚିକା ପୁଣ୍ୟ ହରିପାଲ କହିଛନ୍ତି ଯେ ଏହି ଘଟଣା ତାଙ୍କୁ ଗଭୀର ମାନସିକ ଆଘାତ ଦେଇଛି। ତଥାପି ସେ ପ୍ରଶାସନ, ଆଇନ ବ୍ୟବସ୍ଥା ଓ ଭାରତୀୟ ସମ୍ବିଧାନ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଥିବା ସହ ନ୍ୟାୟ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି। ବୈଠକ ପରେ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ଓ ପୁଷ୍ଟିକର ଖାଦ୍ୟ ବଣ୍ଟନ ପୁଣି ସ୍ୱାଭାବିକ ହୋଇଥିବା ବେଳେ ଗ୍ରାମରେ ଶାନ୍ତିପୂର୍ଣ୍ଣ ପରିବେଶ ଫେରିଥିବା ଜଣାପଡ଼ିଛି।

Leave A Reply

Your email address will not be published.