ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାର ପ୍ରମୁଖ ଆଦିବାସୀ ସମ୍ପ୍ରଦାୟ ‘ଦୁରୁଆ ସମାଜ’ ପକ୍ଷରୁ ସେମାନଙ୍କ ମାତୃଭାଷା “ଦୁରୁଆ ପାଟା” (ଦୁରୁଆ ଭାଷା) କୁ ରାଜ୍ୟ ସରକାରଙ୍କ ସରକାରୀ ଜନଜାତି ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜୋର ଧରିଛି। ଏହି ସମ୍ପର୍କରେ ଜିଲ୍ଲା ଦୁରୁଆ ସମାଜ ପକ୍ଷରୁ ମାନ୍ୟବର ମାଲକାନଗିରି ବିଧାୟକ ନରସିଂହ ମାଢ଼କାମି ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଶିକ୍ଷାରୁ ବଞ୍ଚିତ ସମାଜର ପ୍ରତିନିଧି ମାନେ ଦର୍ଶାଇଛନ୍ତି ଯେ, ୨୦୧୧ ଜନଗଣନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ କେବଳ ୮୦୦୦ ରୁ ଅଧିକ ଦୁରୁଆ ଭାଷାଭାଷୀ ଲୋକ ବସବାସ କରୁଥିଲେ। ମାତ୍ର ବିଦ୍ୟାଳୟ ଗୁଡ଼ିକରେ ଦୁରୁଆ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ନଥିବାରୁ ପ୍ରାଥମିକ ସ୍ତରରେ ଶିଶୁମାନେ ଓଡ଼ିଆ ଭାଷା ସହଜରେ ବୁଝିପାରୁ ନାହାନ୍ତି, ଯାହାଫଳରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।ସରକାରୀ କାର୍ଯ୍ୟାଳୟରେ ଭାଷାଗତ ପ୍ରତିବନ୍ଧକ ଯୋଗୁଁ ସାଧାରଣ ଲୋକେ ସରକାରୀ ସୁବିଧା ଓ ନ୍ୟାୟରୁ ବଞ୍ଚିତ ହେଉଛନ୍ତି। ଏହାସହ ସରକାରୀ ପ୍ରୋତ୍ସାହନ ଅଭାବରୁ ଦୁରୁଆ ଲିପି ଓ ସଂସ୍କୃତି ଲୋପ ପାଇବା ସ୍ଥିତିକୁ ଚାଲିଆସିଲାଣି।
ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ରେ ଅନ୍ତର୍ଭୁକ୍ତି: ATLC ମାଧ୍ୟମରେ ଦୁରୁଆ ଭାଷାର ବିକାଶ, ଅଭିଯାନ ଏବଂ ପାଠ୍ୟପୁସ୍ତକ ପ୍ରସ୍ତୁତି ସହ ଦୁରୁଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ସମାଜ ପକ୍ଷରୁ ଅନୁରୋଧ କରାଯାଇଛି।
ଭାରତୀୟ ସମ୍ବିଧାନର ଧାରା ୨୯(୧), ୩୫୦ ‘ଏ ଓ ୩୫୦ ବି ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କୁ ନିଜ ମାତୃଭାଷା ସଂରକ୍ଷଣ ଓ ଶିକ୍ଷାର ଅଧିକାର ରହିଛି। ଓଡ଼ିଶା ସରକାର ପୂର୍ବରୁ ୨୧ଟି ଜନଜାତି ଭାଷାକୁ ସ୍ୱୀକୃତି ଦେଇଥିବା ବେଳେ, ଦୁରୁଆ ପାଟା କୁ ଏହି ତାଲିକାରେ ସ୍ଥାନ ଦେବା ପାଇଁ ସମାଜ ଦୃଢ଼ ଯୁକ୍ତି ବାଢ଼ିଛି। ସମାଜର କର୍ମକର୍ତ୍ତାମାନେ କହିଛନ୍ତି ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚିବ ସଂସ୍କୃତି ବଞ୍ଚିଲେ ଜାତି ବଞ୍ଚିବ।
ଏହି ପରିପ୍ରେକ୍ଷୀରେ, ବିଧାୟକ ଶ୍ରୀ ମାଢ଼କାମି ଏହି ଦାବିକୁ ରାଜ୍ୟ ସରକାରଙ୍କ ଜନଜାତି ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଧାନସଭା ତଥା ସରକାରୀ ସ୍ତରରେ ଉପସ୍ଥାପନ କରିବାକୁ ଦୁରୁଆ ସମାଜ, ମାଲକାନଗିରି ପକ୍ଷରୁ ବିନୀତ ଅନୁରୋଧ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post