ବିକାଶର ଧାରା, ଓଡ଼ିଶା ସାରା;ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ,

0

ଓଡ଼ଗାଁ, ୨୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ରାଜ୍ୟସ୍ତରୀୟ “ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା-୨୦୨୬” କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ସ୍ଥାନୀୟ ସାଗର କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଏବଂ ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
ଅତିଥିମାନେ ସହରାଞ୍ଚଳର ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବା ସହ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁଫଳ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ନଳ ଯୋଗେ ବିଶୁଦ୍ଧ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅର୍ଣ୍ଣପୂର୍ଣ୍ଣା ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ପାଇଁ ଦକ୍ଷତା ବିକାଶର ଆବଶ୍ୟକତା ରହିଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ। ଓଡ଼ଗାଁକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ସହର ଭାବେ ଗଢ଼ି ତୋଳିବାରେ ନଗରବାସୀଙ୍କ ସହଯୋଗକୁ ଏନ୍‌ଏସି ଅଧିକାରୀମାନେ ଭୂୟସୀ ପ୍ରଶଂସା କରିଥିଲେ। ଭବିଷ୍ୟତରେ ମଧ୍ୟ ଏହି ସହଯୋଗ ଜାରି ରହିଲେ ଓଡ଼ଗାଁକୁ ସର୍ବାଙ୍ଗସୁନ୍ଦର ସହରରେ ପରିଣତ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସେମାନେ କହିଥିଲେ।
ଏହି ଅବସରରେ ୪୧ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୧୫ ଜଣ ହିତାଧିକାରୀଙ୍କୁ ଅର୍ଣ୍ଣପୂର୍ଣ୍ଣା କାର୍ଡ ବଣ୍ଟନ କରାଯାଇଥିଲା। ତହସିଲଦାର ଡ. ଭୋଇ କହିଥିଲେ ଯେ, ସହଯୋଗ ଓ ସହଭାଗିତାର ବଳରେ ଓଡ଼ଗାଁ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଆଗକୁ ବଢ଼ୁଛି। ଏହି ଧାରା ଅବ୍ୟାହତ ରହିଲେ ରାଜ୍ୟସ୍ତରରେ ଓଡ଼ଗାଁ ଏକ ଆଦର୍ଶ ସହର ଭାବେ ପରିଚିତ ହେବ। ସେ ନାଗରିକମାନଙ୍କୁ ନିଜ ଦାୟିତ୍ୱବୋଧ ବଜାୟ ରଖିବାକୁ ଆହ୍ୱାନ ଜଣାଇଥିଲେ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣା ନିଜ ଉଦ୍‌ବୋଧନରେ କହିଥିଲେ ଯେ, ଦୈନନ୍ଦିନ ଜୀବନ ହେଉ କିମ୍ବା ପର୍ବପର୍ବାଣୀ ଓ ଛୁଟିଦିନ, ସହରକୁ ସ୍ୱଚ୍ଛ ସୁନ୍ଦର ରଖିବାରେ ନିରନ୍ତର କାର୍ଯ୍ୟରତ ସ୍ୱଚ୍ଛ ସାଥୀମାନେ ସମାଜ ପାଇଁ ବନ୍ଦନୀୟ। କାର୍ଯ୍ୟକ୍ରମକୁ ଭାବଗ୍ରାହୀ ମହାପାତ୍ର ସଂଯୋଜନା କରିଥିବା ବେଳେ ରଞ୍ଜନ କୁମାର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଏନ୍‌ଏସିର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସାକାର କରିବାରେ ସହଯୋଗ ପ୍ରଦାନ କରିଥିଲେ।

Leave A Reply

Your email address will not be published.