ଓଡ଼ଗାଁ, ୨୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ବୈଦେହୀଶ ପାଠାଗାର ପଡ଼ିଆରେ ଆୟୋଜିତ ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ୍)-୨୦୨୬ ସଟ୍ ବାଉଣ୍ଡରି ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ତହସିଲ ଓଡ଼ଗାଁ ଦଳ ଚମ୍ପିୟାନ ହୋଇଥିବା ବେଳେ କଇଥଗାଡ଼ିଆ ଦଳ ରନର୍ସଅପ୍ ହୋଇଛି।
ସୋମବାର ବିଳମ୍ବିତ ରାତିରେ ଫାଇନାଲ ମ୍ୟାଚ୍ ତିନିଟି ଫର୍ମାଟରେ ଆୟୋଜିତ ହୋଇଥିଲା। ପ୍ରଥମ ଫର୍ମାଟ ୮ ଓଭର, ଦ୍ୱିତୀୟ ଫର୍ମାଟ ୫ ଓଭର ଏବଂ ତୃତୀୟ ଫର୍ମାଟ ୩ ଓଭର ବିଶିଷ୍ଟ ରହିଥିଲା। ତେବେ ପ୍ରଥମ ଦୁଇଟି ଫର୍ମାଟରେ ତହସିଲ ଓଡ଼ଗାଁ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ହାସଲ କରିଥିବାରୁ ତୃତୀୟ ଫର୍ମାଟର ଆବଶ୍ୟକତା ପଡ଼ିନଥିଲା। ପ୍ରଥମ ଫର୍ମାଟ ମ୍ୟାଚ୍ରେ ତହସିଲ ଓଡ଼ଗାଁ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। କଇଥଗାଡ଼ିଆ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୫ ଉଇକେଟ୍ ହରାଇ ୭୯ ରନ୍ ସଂଗ୍ରହ କରିଥିଲା। ଜବାବରେ ତହସିଲ ଓଡ଼ଗାଁ ୭.୧ ଓଭରରେ ୩ ଉଇକେଟ୍ ହରାଇ ୮୦ ରନ୍ କରି ପ୍ରଥମ ଫର୍ମାଟରେ ବିଜୟ ହାସଲ କରିଥିଲା। ଦ୍ୱିତୀୟ ଫର୍ମାଟରେ ମଧ୍ୟ ତହସିଲ ଓଡ଼ଗାଁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କଇଥଗାଡ଼ିଆ ଦଳ ନିର୍ଦ୍ଧାରିତ ୫ ଓଭରରେ ୨ ଉଇକେଟ୍ ହରାଇ ୪୫ ରନ୍ କରିଥିଲା। ପରେ ତହସିଲ ଓଡ଼ଗାଁ ଦଳ ୪.୩ ଓଭରରେ ୪୬ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତିବା ସହିତ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ହୋଇଥିଲା। ଚମ୍ପିୟାନ ଦଳର ଓମ୍ ପ୍ରସାଦ ଗୁରୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଭାବେ ଘୋଷିତ ହୋଇଥିବା ବେଳେ ରନର୍ସଅପ୍ ଦଳର କାରୁଣୀ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ସମ୍ମାନ ପାଇଥିଲେ।
ଉଦ୍ଯାପନୀ ଉତ୍ସବରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ଏବଂ ବରିଷ୍ଠ ସାମ୍ବାଦିକ ସାରସ କୁମାର ମିଶ୍ର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଖେଳ ଶେଷରେ ଭେଟେରାନ କ୍ରିକେଟର ଉମାକାନ୍ତ ଦାସ ଓ ଓପିପିଏଲ୍ର ପରିଚାଳକ ମାନସ ରଞ୍ଜନ ସାହୁଙ୍କ ହସ୍ତରୁ ଚମ୍ପିୟାନ ଓ ରନର୍ସଅପ୍ ଦଳ ଟ୍ରଫି ଗ୍ରହଣ କରିଥିଲେ। ଟୁଲୁ, କାର୍ତ୍ତିକ, ମିନୁ, ଶୁଭେନ୍ଦୁ, ଆଲୋକ ଓ ଲୁଲୁ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.