ସରସତିଆ ରାଧାମାଧବ ଜୀଉ ମନ୍ଦିରରେ ବଡ଼ ଧରଣର ଚୋରି, ଠାକୁରଙ୍କ ସୁନା-ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟ

0

ବାଲେଶ୍ବର ( )‌: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ପଣପଣା ପଞ୍ଚାୟତର ସରସତିଆ ପଟଣା ସାହି ସ୍ଥିତ ପ୍ରସିଦ୍ଧ ରାଧାମାଧବ ଜୀଉ ମନ୍ଦିରରେ ଗତକାଲି ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଥିବା ଜଣାପଡ଼ିଛି। ରାତିର ଅନ୍ଧକାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିର ଭିତରକୁ ପଶି ଠାକୁରଙ୍କ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଚୋରି କରିବା ସହ, ହୁଣ୍ଡୀ ବାକ୍ସ ଭାଙ୍ଗି ନଗଦ ଟଙ୍କା ମଧ୍ୟ ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଚୋରମାନେ ଠାକୁରଙ୍କ ସୁନା ଆଖି, ସୁନା ଚିତା, ସୁନା କାନଫୁଲ, ସୁନା ହାର, ଦୁଇଟି ରୂପା ବଂଶୀ ଓ ଦୁଇଟି ବଡ଼ ରୂପା ମୁକୁଟ ନେଇ ଯାଇଛନ୍ତି। ଚୋରି ହୋଇଥିବା ସୁନା-ରୂପା ଅଳଙ୍କାର ର ମୂଲ୍ୟ ଲକ୍ଷାଧିକ ଟଙ୍କା ର ବୋଲି କୁହାଯାଉଥିବା ବେଳେ ହୁଣ୍ଡୀ ବାକ୍ସ ର ନଗଦ ଟଙ୍କାର ମୂଲ୍ୟ ଆନୁମାନିକ 25ହଜାରରୁ 30 ହଜାର ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ସକାଳେ ପୂଜକ ନିତ୍ୟ ପୂଜା ପାଇଁ ମନ୍ଦିରକୁ ଯାଇଥିବା ବେଳେ ଠାକୁରଙ୍କ ଅଳଙ୍କାର ଗାୟବ ଥିବା ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଖବର ପ୍ରଚାର ହେବା ପରେ ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭକ୍ତ ଓ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ଏକ ପବିତ୍ର ଧର୍ମପୀଠରେ ଏଭଳି ଚୋରି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଗଭୀର କ୍ଷୋଭ ପ୍ରକାଶ ପାଇଛି। ଭକ୍ତମାନଙ୍କ ମତରେ, ଏହା କେବଳ ଚୋରି ନୁହେଁ ବରଂ ଧାର୍ମିକ ଭାବନା ଉପରେ ଏକ ସିଧାସଳଖ ଆଘାତ।
ଘଟଣା ସମ୍ପର୍କରେ ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ହୋଇଥିବା ଅଳଙ୍କାର ଉଦ୍ଧାର ସହ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଉପରେ ରହିଛି।

Leave A Reply

Your email address will not be published.