ଏମ୍‌ଭି-୭୯ ଇରିଗେସନ୍ କଲୋନୀରେ ମଦ ଦୋକାନକୁ ବିରୋଧ, ସ୍ଥାନାନ୍ତର ପାଇଁ ପ୍ରଶାସନଙ୍କୁ ଦାବି

0

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲାରେ ନୂତନ ମଦ ଦୋକାନ ପାଇଁ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ଏମ୍‌ଭି-୭୯ ଇରିଗେସନ୍ କଲୋନୀରେ ମଦ ଦୋକାନ ଖୋଲିବାକୁ ସ୍ଥାନୀୟ ବାସିନ୍ଦାମାନେ ତୀବ୍ର ବିରୋଧ କରିଛନ୍ତି। ଏହାକୁ ଆବାସିକ ଅଞ୍ଚଳରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ ଇରିଗେସନ୍ କଲୋନୀର ଶେଷ ଭାଗରେ ଏକ ମଦ ଦୋକାନ କାର୍ଯ୍ୟକ୍ଷମ ଥିଲା। ନୂତନ ଟେଣ୍ଡର ପାଇଥିବା ବ୍ୟକ୍ତି ପୁରୁଣା ସ୍ଥାନରେ ପୁନର୍ବାର ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତୁତି କରୁଥିବା ଖବର ପାଇବା ପରେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଛନ୍ତି।

ଏହି ପ୍ରସଙ୍ଗରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଏକ ଲିଖିତ ଅଭିଯୋଗପତ୍ର ଦାଖଲ କରାଯାଇଛି। ଏହାର ନକଲ ଉପଜିଲ୍ଲାପାଳ, ମାଲକାନଗିରି ତହସିଲଦାର, ଏମ. ଭି -୭୯ଥାନା ଅଧିକାରୀ, ଏମ୍‌ଭି-୭୯ ସରପଞ୍ଚ ଓ ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଇରିଗେସନ୍ କଲୋନୀ ଏକ ଜନବହୁଳ ଆବାସିକ ଅଞ୍ଚଳ ହୋଇଥିବାରୁ ଏଠାରେ ମଦ ଦୋକାନ ରହିଲେ ସାମାଜିକ ପରିବେଶ ଉପରେ ବିରୂପ ପ୍ରଭାବ ପଡ଼ିପାରେ। ମଦ୍ୟପ ଅବସ୍ଥାରେ ଯାନବାହନ ଚଳାଚଳ, ସାଧାରଣ ଲୋକଙ୍କ ଯାତାୟାତରେ ବାଧା, ରାସ୍ତାକଡ଼ରେ କାଚ ବୋତଲ ଫିଙ୍ଗିବା ଏବଂ ଶାନ୍ତିଶୃଙ୍ଖଳା ବ୍ୟାହତ ହେବାର ଆଶଙ୍କା ଥିବା କଥା ଉଲ୍ଲେଖ କରାଯାଇଛି।

ସ୍ଥାନୀୟ ବାସିନ୍ଦାମାନେ ମଦ ଦୋକାନ ବନ୍ଦ କରିବାକୁ ଦାବି କରିନାହାନ୍ତି, ବରଂ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ଆବାସିକ ଅଞ୍ଚଳରୁ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।

ଏହି ଅଭିଯୋଗପତ୍ରରେ ଅନେକ ସ୍ଥାନୀୟ ବାସିନ୍ଦା ସ୍ୱାକ୍ଷର କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ଅଭିଯୋଗ ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନଜର ରହିଛି।

Leave A Reply

Your email address will not be published.