କେବିକେ ଜିଲ୍ଲାରେ ଚାକିରୀ ପାଇବା ପରେ ନିଜ ଜିଲ୍ଲାକୁ ବଦଳି ମାଲକାନଗିରି ଶିକ୍ଷା ବ୍ୟବସ୍ଥା ର ଭବିଷ୍ୟତକୁ ନେଇ ପ୍ରଶ୍ନ ।
ଜିଲ୍ଲାର ୧୨୬ ଶିକ୍ଷକଙ୍କ ବଦଳି ଆବେଦନ ଅସୁସ୍ଥତାର କାରଣ ସତ୍ୟ ନା କେବଳ ବଦଳିର ମାଧ୍ୟମ , ମେଡିକାଲ ଯାଞ୍ଚ ଦାବି ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଏବେ ଚିନ୍ତା ବଢ଼ିଛି। ଅନେକ ପ୍ରାର୍ଥୀ ଚାକିରି ପାଇଁ କେବିକେ ଜିଲ୍ଲାକୁ ବାଛୁଥିବା ବେଳେ ଚାକିରି ପରେ ନିଜ ଜିଲ୍ଲାକୁ ବଦଳି ପାଇଁ ବିଭିନ୍ନ କାରଣ ଦର୍ଶାଉଛନ୍ତି।
ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରୁ ୧୨୬ ଜଣ ଶିକ୍ଷକ ଘର ଜିଲ୍ଲାକୁ ବଦଳି ପାଇଁ ଅସୁସ୍ଥତା, ପରିବାରିକ ସମସ୍ୟା ଭଳି କାରଣ ଦର୍ଶାଇ ଆବେଦନ କରିଛନ୍ତି। ଏହି କାରଣ ଗୁଡ଼ିକର ସତ୍ୟତା ଯାଞ୍ଚ ପାଇଁ ମେଡିକାଲ ବୋର୍ଡ ଦ୍ୱାରା ନିରପେକ୍ଷ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
ଏପଟେ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ କେବଳ ୫ଟି ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀ ଉପଲବ୍ଧ ଥିବା ବେଳେ ମାଲକାନଗିରି ଓ ମାଥିଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ପଦବୀ ଖାଲି ରହିଛି। ଏଭଳି ସ୍ଥିତିରେ ଶିକ୍ଷା ପ୍ରଶାସନ କିପରି ସୁଚାରୁ ଭାବେ ଚାଲିବ ତାହା ନେଇ ପ୍ରଶ୍ନ ଉଠିଛି।
ଯଦି ବହୁ ସଂଖ୍ୟକ ଶିକ୍ଷକ ବଦଳି ହୋଇ ଚାଲିଯାଆନ୍ତି, ତେବେ ଦୁର୍ଗମ ଅଞ୍ଚଳର ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ସୃଷ୍ଟି ହୋଇ ଆଦିବାସୀ, ଏସ୍ସି ଓ ଏସ୍ଟି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।
ସାଧାରଣ ମହଲ ରେ ପ୍ରଶ୍ନ ଉଠୁଛି — ଯଦି କେହି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରିବାକୁ ଅସମର୍ଥ, ତେବେ ନିଯୁକ୍ତି ସମୟରେ କେବିକେ କିମ୍ବା ମାଲକାନଗିରି ଭଳି ଜିଲ୍ଲାକୁ କାହିଁକି ବାଛୁଛନ୍ତି । ଏଭଳି ପରିସ୍ଥିତି ଅନେକ ଶିକ୍ଷିତ ବେରୋଜଗାର ଯୁବକଙ୍କ ସୁଯୋଗକୁ ମଧ୍ୟ ପ୍ରଭାବିତ କରୁଛି।
ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ପାଇଁ ବଦଳି ଆବେଦନର କାରଣଗୁଡ଼ିକର ଯଥାର୍ଥ ଯାଞ୍ଚ ସହ ଦୁର୍ଗମ ଜିଲ୍ଲାରେ ଶିକ୍ଷକ ଅଭାବ ଦୂର କରିବାକୁ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି l