ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ: “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ”

0

ନବରଙ୍ଗପୁର ତା ୨୧.୬.୨୦୨୬: ଆଜି ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଲୋକସଭା ବଳଭଦ୍ର ମାଝୀ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ମାନ୍ୟବର ବିଧାୟକ ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି,ଅତିରିକ୍ତ ଜିଲ୍ଲାପାଳ( ରାଜସ୍ୱ) ବିଶ୍ୱଜିତ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ,ନବରଙ୍ଗପୁର ସହରର ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ କର୍ମକର୍ତ୍ତା ,ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଚାପମୁକ୍ତ ଜୀବନ ସହ ଶାରୀରିକ,ମାନସିକ ଓ ଆଧ୍ୟାତ୍ମିକ ପ୍ରଗତିରେ ଯୋଗର ଏକ ବଡ ଅବଦାନ ରହିଛି। ଚଳିତ ବର୍ଷ” ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ” ବିଷୟକୁ ନେଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି।ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ ,ଏହା ଏକ ନିରାମୟ ଓ ସନ୍ତୁଳିତ ଜୀବନ ଯାପନ ର ପଥ। ନିୟମିତ ଯୋଗାଭ୍ୟାସ କରି ମାନସିକ ଚାପ ହ୍ରାସ ସହ ଶାରୀରିକ ନମନୀୟତା,ସନ୍ତୁଳନ ରକ୍ଷା ପୂର୍ବକ ଏକ ଯୋଗୀ ପରି ନିରୋଗ ରହିବା ଏହି ଯୋଗ ଦିବସ ର ମୂଳ ଉଦ୍ଦେଶ୍ୟ ଅଟେ ବୋଲି ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ମତବ୍ୟକ୍ତ କରିଥିଲେ।ସକାଳ ୭.୦୦ ଘ ସମୟ ରେ ମଞ୍ଚରେ ଦୁଇ ଜଣ ଯୋଗ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଏବଂ ହରିଶ ବେହେରା ମଞ୍ଚରେ ଯୋଗ ଅଭ୍ୟାସ ପ୍ରଦର୍ଶନ କରିଥିଲେ ଏବଂ ତାହାକୁ ଅନୁସରଣ କରି ଉପସ୍ଥିତ ପଞ୍ଜୀକୃତ କରିଥିବା ପ୍ରାୟ ୭୦୦ ରୁ ଊର୍ଦ୍ଧ୍ୱ ଯୋଗ ଇଚ୍ଛୁକ ବ୍ୟକ୍ତିବିଶେଷ ଯୋଗ ଅଭ୍ୟାସ କରିଥିଲେ।ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ପରେ ସମସ୍ତେ ଯୋଗ ଦିବସ ଉପଲକ୍ଷେ ଶପଥ ପାଠ କରିଥିଲେ।ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ନିମନ୍ତେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା , ଚିତ୍ରାଙ୍କନ,ସ୍ଲୋଗାନ ଲିଖନ,ପୋଷ୍ଟର୍ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ। ଯୋଗକୁ ଗୋଟିଏ ଦିନ ପାଇଁ ନୁହେଁ, ବରଂ ନିଜ ପାଇଁ ଓ ସାମୁହିକ ମଙ୍ଗଳ ପାଇଁ ଏକ ଦୈନଦିନ ଅଭ୍ୟାସରେ ପରିଣତ କରିବାକୁ ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସତ୍ୟଜିତ ରାୟ ଆୟୋଜନ ଏବଂ ମନୋଜ ପଟ୍ଟନାୟକ ସଞ୍ଚାଳନ କରିଥିଲେ।ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ପି ଏମ ଶ୍ରୀ ଆର୍ ସି ଡି ହାଇସ୍କୁଲ,ମ୍ୟୁନିସିପାଲ ହାଇସ୍କୁଲ, ପ୍ୟାରେଣ୍ଟସ ପ୍ରାଇଡ ସ୍କୁଲ,ନବରଙ୍ଗପୁର ପବ୍ଲିକ ସ୍କୁଲ, ଟେକ୍ନୋ ଗୁରୁକୁଳ, ସ୍ମାର୍ଟ ଗୁରୁକୁଳ,ସରସ୍ୱତୀ ଜ୍ଞାନ ମନ୍ଦିର,ଏକ୍ସ ବୋର୍ଡ଼ ସ୍କୁଲ,ଯେ ଇ ଏଲ ସି, ଥିଓଡର ପବ୍ଲିକ ସ୍କୁଲ,ବିଦ୍ୟାର୍ଥୀ ମହାବିଦ୍ୟାଳୟ,ନବରଙ୍ଗପୁର ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ,ବରିଷ୍ଠ ନାଗରିକ ସଂଘ,ଓମ୍ ଶାନ୍ତି ଅନୁଷ୍ଠାନ,ଜିଲ୍ଲା କ୍ଲିନର ସଂଘ,ସିଭିଲ ସୋସାଇଟୀ ର ସଭ୍ୟ ଆଗ୍ରହରେ ଯୋଗ ଅଭ୍ୟାସ କରିଥିଲେ।

Leave A Reply

Your email address will not be published.