୨୫ ହଜାର କୋଟିର କୋଲ ଗ୍ୟାସିଫିକେସନ୍-ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ

0

ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଖଡ଼ସା ଅଞ୍ଚଳରେ ପ୍ରସ୍ତାବିତ କୋଲ ଗ୍ୟାସିଫିକେସନ୍-ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ ଶନିବାର ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଭାବେ ଯୋଗଦେଇଥିଲେ।

ବିସିସିଜିଏଲ୍ ପକ୍ଷରୁ ଆୟୋଜିତ ଶିଳାନ୍ୟାସ ଉତ୍ସବରେ କୋଇଲା ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ ଯୋଗଦେଇ କହିଥିଲେ ଯେ, ପ୍ରାୟ ୨୫ ହଜାର କୋଟି ଟଙ୍କା ବ୍ୟୟରେ ଦେଶର ସର୍ବବୃହତ୍ କୋଲ ଗ୍ୟାସିଫିକେସନ୍ ପ୍ଲାଣ୍ଟ ସ୍ଥାପିତ ହେବ। ଏହା ଦେଶର ୟୁରିଆ ସାର କ୍ଷେତ୍ରରେ ବିଦେଶ ଉପରେ ନିର୍ଭରଶୀଳତା କମାଇବା ସହ ‘ଆତ୍ମନିର୍ଭର ଭାରତ’ ଗଠନ ଦିଗରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ। ପ୍ରତିବର୍ଷ ୟୁରିଆ ଆମଦାନୀ ପାଇଁ ବ୍ୟୟ ହେଉଥିବା ବିପୁଳ ବିଦେଶୀ ମୁଦ୍ରା ସଞ୍ଚୟରେ ଏହି କାରଖାନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ କହିଥିଲେ।

ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରାଯିବାକୁ ଥିବାବେଳେ ଏହି ପ୍ରକଳ୍ପ ଓଡ଼ିଶାର କୃଷକମାନଙ୍କ ରାସାୟନିକ ସାର ଆବଶ୍ୟକତା ପୂରଣରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।

କୋଇଲା ରାଜ୍ୟମନ୍ତ୍ରୀ ଶତୀଶ ଚନ୍ଦ୍ର ଦୁବେ କହିଥିଲେ ଯେ, ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଞ୍ଚଳର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସମ୍ବଲପୁର ସାଂସଦ ପ୍ରଦୀପ ପୁରୋହିତ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ରାଷ୍ଟ୍ରର ବିକାଶ ପାଇଁ ଏହି ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପନର ଶିକାର ହୋଇଛନ୍ତି। ତେଣୁ ବିସ୍ଥାପିତ ପରିବାରଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଉପଯୁକ୍ତ କ୍ଷତିପୂରଣ ଓ ନିଯୁକ୍ତି ସୁବିଧା ପ୍ରଦାନ କରିବାକୁ କମ୍ପାନୀ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ।

ଉତ୍ସବରେ ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଝା, ବିସିସିଜିଏଲ୍ ଅଧ୍ୟକ୍ଷ ଡ. ଆଶିଷ କୁମାର, ପରିଚାଳନା ନିର୍ଦ୍ଦେଶକ ପିୟୂଷ କୁମାର, ପ୍ରକଳ୍ପ ନିର୍ଦ୍ଦେଶକ ରମେଶ କୁମାର ସିଂହ, କୋଲ ଇଣ୍ଡିଆର ମୁଖ୍ୟ ପ୍ରବନ୍ଧକ ଶ୍ରୀତମ ଦାସ, ବିସିସିଜିଏଲ୍‌ର ବରିଷ୍ଠ ଅଧିକାରୀ ବରୁଣ କୁମାର ପଙ୍ଗାଲ, ପାଲୁନି ମିଗିଲି, ଲଖନପୁର କ୍ଷେତ୍ର ମହାପ୍ରବନ୍ଧକ ଅବୈଦ କୁମାର ପାଣ୍ଡେ, ଜିଲ୍ଲାପାଳ ଚଭାନ କୁମାର ମୋତିରାମ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.