ସିଗନାଲସ କୋରରୁ ୭୨୬ ଅଗ୍ନିବୀରଙ୍କ ପାସିଂ ଆଉଟ ପ୍ୟାରେଡ ସମ୍ପନ୍ନ; ଓଡ଼ିଶାରୁ ମାତ୍ର ୫ ଜଣଙ୍କ ସଫଳତା,

0

ଓଡ଼ିଆ ଯୁବକଙ୍କ ନଗଣ୍ୟ ଉପସ୍ଥିତିକୁ ନେଇ ଚିନ୍ତା

ନୟାଗଡ଼, ଓଡ଼ଗାଁ, ୧୭।୬(ଶ୍ରୀକାନ୍ତ କୁମାର ମିଶ୍ର): ଭାରତ ସରକାରଙ୍କ ଅଗ୍ନିପଥ ଯୋଜନା ଅନୁସାରେ ସେନାବାହିନୀରେ ଯୋଗଦାନ କରୁଥିବା ଅଗ୍ନିବୀରମାନେ ଦେଶର ବିଭିନ୍ନ ତାଲିମ କେନ୍ଦ୍ରରେ କଠୋର ସାମରିକ ପ୍ରଶିକ୍ଷଣ ଗ୍ରହଣ କରି ନିଜ ନିଜ କର୍ମକ୍ଷେତ୍ରରେ ଯୋଗଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଆର ପୋଣ୍ଡାସ୍ଥିତ ସିଗନାଲସ କୋର ମିଲିଟାରୀ କ୍ୟାମ୍ପରେ ୮ମ ବ୍ୟାଚର ୭୨୬ ଜଣ ଅଗ୍ନିବୀରଙ୍କ ଭବ୍ୟ ପାସିଂ ଆଉଟ ପ୍ୟାରେଡ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ଓଡ଼ିଶାରୁ ପ୍ରବୀଣ କୁମାର ସାହୁ (କଟକ), ଦେବାଶିଷ ଜେନା (ନୟାଗଡ଼), ମାନସ କୁମାର ସାହୁ (ନୟାଗଡ଼), ପ୍ରଶାନ୍ତ ବାରିକ (ଭଦ୍ରକ) ଏବଂ ରିତେଶ କୁମାର ଜେନା (ପୁରୀ)ଙ୍କ ସମେତ ମାତ୍ର ୫ ଜଣ ଓଡ଼ିଆ ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ୭୨୬ ଜଣଙ୍କ ମଧ୍ୟରେ ଓଡ଼ିଆ ପ୍ରାର୍ଥୀଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ଥିବା ଘଟଣା ସାମରିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ପାସିଂ ଆଉଟ ପ୍ୟାରେଡ ଅଗ୍ନିବୀରମାନଙ୍କ କଠୋର ପ୍ରଶିକ୍ଷଣ ସମାପ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ପ୍ରଶିକ୍ଷାର୍ଥୀମାନେ ୧୦ ସପ୍ତାହର ମୌଳିକ ସାମରିକ ତାଲିମ ସହ ୧୪ ସପ୍ତାହର ସଘନ ଉନ୍ନତ ସାମରିକ ତାଲିମ ଗ୍ରହଣ କରିଥିଲେ। ଏଥିରେ ତାତ୍ତ୍ୱିକ ଓ ବ୍ୟବହାରିକ ଉଭୟ ପ୍ରକାରର ଶିକ୍ଷା ଅନ୍ତର୍ଭୁକ୍ତ ଥିଲା, ଯାହା ସେମାନଙ୍କୁ ଦକ୍ଷ ଓ ଆଧୁନିକ ଯୋଦ୍ଧା ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଛି। ଏହି ଅବସର କେବଳ ଅଗ୍ନିବୀରମାନଙ୍କ ପାଇଁ ନୁହେଁ, ବରଂ ସେମାନଙ୍କ ପରିବାର ଓ ସମଗ୍ର ଦେଶ ପାଇଁ ମଧ୍ୟ ଗର୍ବ ଓ ଗୌରବର ମୁହୂର୍ତ୍ତ ହୋଇଥିଲା। ୬ ବୈଷୟିକ ତାଲିମ ରେଜିମେଣ୍ଟ (୬ ଟିଟିଆର)ର କମାଣ୍ଡିଂ ଅଫିସର କର୍ଣ୍ଣେଲ ଶାନ୍ତନୁ କୌଶିକ ପ୍ୟାରେଡର ସମୀକ୍ଷା କରିବା ସହ ନବପ୍ରଶିକ୍ଷିତ ଅଗ୍ନିବୀରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଭାରତୀୟ ସେନାର କର୍ତ୍ତବ୍ୟ, ସମ୍ମାନ ଓ ମୂଳ ମୂଲ୍ୟବୋଧକୁ ସର୍ବଦା ଅକ୍ଷୁଣ୍ଣ ରଖିବା ପାଇଁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.