ଜଳାଶୟରେ ବୁଡ଼ି ଯୁବକଙ୍କ ମୃତ୍ୟୁ

0

ଓଡ଼ଗାଁ,୧୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଧୁସୁମା ଗ୍ରାମର ଜଣେ ଯୁବକ ଜଳାଶୟରେ ବୁଡ଼ି ପ୍ରାଣ ହରାଇଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ହେଲେ ମହେନ୍ଦ୍ର ସ୍ବାଇଁଙ୍କ ପୁଅ ସିଲୁ ସ୍ବାଇଁ (୩୦)। ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସକାଳେ ସିଲୁ ତାଙ୍କ ସାଙ୍ଗମାନଙ୍କ ସହ ସାନ ହାଣ୍ଡିକୁ ଭୋଜି କରିବା ପାଇଁ ଯାଇଥିଲେ। ଭୋଜି ସମୟରେ ସେଠାରେ ଥିବା ସାନ ହାଣ୍ଡି ଜଳାଶୟରେ ଗାଧୋଇବା ବେଳେ କୌଣସି ଅସାବଧାନତାବଶତଃ ସିଲୁ ବୁଡ଼ି ଯାଇଥିଲେ। ଘଟଣା ପରେ ସାଙ୍ଗମାନେ ତାଙ୍କୁ ଖୋଜିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇନଥିଲେ।
ପରେ ଖବର ପାଇ ଓଡ଼ଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ଶେଷରେ ସିଲୁଙ୍କୁ ମୃତ ଅବସ୍ଥାରେ ଜଳାଶୟରୁ ଉଦ୍ଧାର କରି ଶରଣକୁଳ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ପରିବାର ପକ୍ଷରୁ ଶରଣକୁଳ ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଶବବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର ହସ୍ତାନ୍ତର କରାଯାଇଛି। ସିଲୁଙ୍କ ଅକାଳ ବିୟୋଗରେ ଧୁସୁମା ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.