ବାରିପଦା/Dillip Mohanty – ବାରିପଦା ସହରର ମଧୁବନ ମିନିଷ୍ଟାଡ଼ିୟମ ନିକଟରେ ଗାଡ଼ିମୋଟର ମରାମତି ନିମନ୍ତେ ରହିଛି ଏକାଧିକ ଗେରେଜ । ଉକ୍ତ ଗେରେଜଗୁଡ଼ିକରେ ଗତ ରବିବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନଡ଼ାଛପର ଥିବା କାର୍ତ୍ତିକ ମହାନ୍ତ, ଭବତୋଷ ଲେଙ୍କା, ସେକ. ସନା, ଦିଲ୍ଲୀପ ରାମ ପ୍ରଜାପତି, ବାବୁଲା ପଲେଇ, ସେକ. ଜାଉଦ୍ଧିନ ପ୍ରମୁଖଙ୍କର ୬ ଗୋଟି ଗେରେଜ ଯନ୍ତ୍ରପାତି ଆଦି ସହିତ ପୋଡ଼ି ପାଉଁଶରେ ପରିଣତ ହୋଇଯାଇଥିବା ବେଳେ ସେଠାରେ ରହିଥିବା ଟ୍ରକ, ଡ଼ମ୍ପର, ଟ୍ରାକ୍ଟର କାରଗୁଡ଼ିକ ମଧ୍ୟରୁ ପୂର୍ବତନ କାଉନସିଲର ପ୍ରଦୋଷ ଦାସ ପ୍ରାୟ ସାତ ମାସ ପୂର୍ବରୁ କିଣିଥିବା ଓଡ଼ି ୧୧- ୪୧୪୪ ନମ୍ବର ବିଶିଷ୍ଟ ନୂଆ ବୋଲେରୋ, ଗେରେଜକୁ କାମ ହେବା ପାଇଁ ଆସିଥିବା ୨ଟି ନୂଆ ପିକଅପ, ବାରିପଦା ପୌରପରିଷଦର ଏକ ଟ୍ରାକ୍ଟରକୁ ମିଶାଇ ମୋଟ ୧୧ଟି ୪ ଚକିଆ ଯାନ ପୋଡ଼ି ଅଳ୍ପ ବହୁତ ନଷ୍ଟ ହୋଇଯାଇଛି । କ୍ଷୟକ୍ଷତିର ପରିମାଣ ଏକ କୋଟିରୁ ଅଧିକ ବୋଲି ଏକ ଆକଳନରୁ ଜଣାପଡ଼ିଛି । ତେବେ ଲଗାଲଗି ଭାବେ ରହିଥିବା ଅନ୍ୟ ଏଜବେଷ୍ଟ ଗେରେଜଗୁଡ଼ିକ ସୁରକ୍ଷିତ ଭାବେ ନିଆଁ ଦାଉରୁ ବର୍ତ୍ତିଯାଇଥିଲା ।
ଡ଼ିସେମ୍ବର ୩୧ ରାତିରେ ୨୦୧୭କୁ ବିଦାୟ ଦେଇ ୨୦୧୮କୁ ସ୍ୱାଗତ କରିବା ନିମନ୍ତେ ବାରିପଦା ହୋଇଉଠିଥିଲା ଚଳଚଞ୍ଚଳ । ବିଭିନ୍ନ ଛକ ଓ ଗଳିକନ୍ଦିରେ ନାଚଗୀତ ସହିତ ଭିଜିଭାତର ଆୟୋଜନରେ ମାତିଥିଲେ ଯୁବକଯୁବତୀମାନେ । ମଧୁବନ ଗେରେଜଗୁଡ଼ିକରେ କାର୍ଯ୍ୟକରୁଥିବା କର୍ମଚାରୀ ଓ ମାଲିକମାନେ ବାଦଯାଇ ନ ଥିଲେ । ୨ ଜଣ କର୍ମଚାରୀ ସେକ. ଆସିଫ ଅଲ୍ଲୀ ଓ ମଣ୍ଟୁ ପଲାଇ ନବ ବର୍ଷ ପାଳନ କରି ବିଳମ୍ବିତ ରାତିରେ ଫେରି ପ୍ରତ୍ୟେକ ଦିନ ଭଳି ଗେରେଜରେ ବିଶ୍ରାମ ନେଉଥିବା ସମୟରେ ହଠାତ୍ ଗରମ ଅନୁଭବ କରିବାରୁ ତାଙ୍କର ନିଦ ଭାଙ୍ଗି ଗଲା ଓ ଗେରେଜ ଜଳୁଥିବାର ଦେଖିବାକୁ ପାଇ ନିଜ ଜୀବନ ବଞ୍ଚାଇବା ନିମନ୍ତେ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ । ଗେରେଜରେ ଲାଗିଥିବା ନିଆଁ ମାଟି ସହିତ ହୁ ହୁ ହୋଇ ଜଳିବାରେ ଲାଗିଥିଲା । ଏମାନଙ୍କର ଚିକ୍ରାର ଶୁଣି ପାଖପଡେ଼ାଶୀ ମଧ୍ୟ ପହଁଞ୍ଚିଯାଇଥିଲେ । ନିଆଁ ଲାଗିବା ଖବର ପାଇ ଦମକଳ ବାହିନୀ ପହଁଞ୍ଚି ପ୍ରାୟ ଏକ ଘଣ୍ଟାର ଉଦ୍ୟମ କରିଥିଲେ ମଧ୍ୟ ନଡ଼ା ଛପର ୬ଟି ଗେରେଜକୁ ରକ୍ଷା କରିପାରି ନ ଥିବା ବେଳେ ବାହାରେ ରହିଥିବା କିଛି ଟ୍ରକ, ଡ଼ମ୍ପର ଆଦି ୪ ଚକିଆ ଯାନକୁ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲେ ।
ଏହି ନିଆଁ ଲାଗିବା ଖବରପାଇ ସୋମବାର ପୂର୍ବାହ୍ନରେ ବାରିପଦା ସଦର ଏସଡ଼ିପିଓ ଅଭିମନୁ୍ୟ ନାୟକ ଓ ବାରିପଦା ଟାଉନ ଥାନା ଆଇଆଇସି ଅମିତ ବିଶ୍ୱାଳ ସଦଳବଳେ ଆସି ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏସଡ଼ିପିଓ ଶ୍ରୀନାୟକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଆମେ ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛୁ । ଦତନ୍ତ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଗେରେଜ ପଡ଼ିଆ ଭାବେ ମୁଣ୍ଡ ଟେକି ଉଠିଥିବା ଏହି ଅଞ୍ଚଳ ପୂର୍ବେ ଜଳାଶୟରେ ପରିପୂର୍ଣ୍ଣ ରହିଥିଲା । ନିଜର ତଥା ପରିବାର ମୁହଁରେ ଆହାର ଯୋଗାଇ ଦେବା ନିମନ୍ତେ କିଛି ଯୁବକ ନିଜସ୍ୱ ପରିଶ୍ରମ ଓ ଅର୍ଥର ବ୍ୟୟ ବରାଦରେ ମାଟି ଆଦି ପକାଇ ସମତୁଲ କରି ସରକାରୀ ଜାଗା ଉପରେ ଗେରେଜ ଆରମ୍ଭ କରିଥିଲେ । ଏହି ଆକସ୍ମିକ ଅଗ୍ନିକାଣ୍ଡ ସେମାନଙ୍କ ଦୀର୍ଘ ବର୍ଷର ପରିଶ୍ରମକୁ ପୋଡ଼ି ଛାରଖାର କରିଦେଇ ରାସ୍ତାର ଭିକାରୀ ସଜାଇ ଦେଇ ଗଲା ବୋଲି ଆସିଫ ଅଲ୍ଲୀ କହିଛନ୍ତି ।