ଅକ୍ଷୟ ତୃତୀୟାରେ ଛୁରିଆପାଲିରେ ରଥ ନିର୍ମାଣ ଆରମ୍ଭ

0 2

ବିଜେପୁର :- ବରଗଡ଼ ଜିଲ୍ଲା ଛୁରିଆପାଲି ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୂତନ ରଥ ନିର୍ମାଣ କାର୍ଯ୍ୟ ଆଜି ଶୁଭାରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗ୍ରାମର ଗୌତିଆ ରଘୁନାଥ ସାହୁଙ୍କ ନେତୃତ୍ୱରେ ପ୍ରଥମେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଶୁଭ ମୁହୂର୍ତ୍ତରେ କାରିଗରମାନେ ରଥ ତିଆରି କାମକୁ ଆରମ୍ଭ କରିଥିଲେ।ଏହି ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ତାଳପଦର ଗ୍ରାମର କାରିଗରମାନେ ସକ୍ରିୟ ଭାବେ ଯୋଗଦେଇ ରଥ ନିର୍ମାଣ କରୁଛନ୍ତି। ସୌକିଲାଲ ସାହୁ, ତେଜରାଜ ସାହୁ, ସୁଶାନ୍ତ ସାହୁ, ପଞ୍ଚାନନ ସାହୁ ଓ ସୁରୁବାବୁ ବିଶ୍ୱାଳ ଏହି କାମରେ ମୁଖ୍ୟ ଭୂମିକା ନିଭାଉଛନ୍ତି। ସମସ୍ତଙ୍କ ସମନ୍ୱୟ ଓ ପାରମ୍ପରିକ କୌଶଳରେ ରଥ ନିର୍ମାଣ କାମ ସୁଚାରୁ ଭାବେ ଆଗେଇ ଯାଉଛି।
ମୁଖ୍ୟ କାରିଗର ସୌକିଲାଲ ସାହୁ କହିଛନ୍ତି, “ରଥ ତିଆରି କରିବା ଆମ ପାଇଁ କେବଳ ଜୀବିକା ନୁହେଁ, ଏହା ଏକ ଭକ୍ତିର ସେବା। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଆମେ ଭଗବାନଙ୍କ କୃପାରେ ଏହି ପବିତ୍ର କାମ ଆରମ୍ଭ କରିଛୁ। ଏହି ବର୍ଷ ଛୁରିଆପାଲି, ପଥଲା, ମଳଦା, ବୁର୍ଲା ଓ ଚିକିନିପାଳି ମୋଟ ପାଞ୍ଚଟି ଗ୍ରାମରେ ରଥ ତିଆରି କରିବା ପାଇଁ ଯୋଜନା ରହିଛି। ସମୟ ମଧ୍ୟରେ ଓ ଶୃଙ୍ଖଳିତ ଭାବେ କାମ ସମାପ୍ତ କରିବା ପାଇଁ ଆମେ ସମସ୍ତେ ଏକତାର ସହ କାମ କରୁଛୁ।”ଉଲ୍ଲେଖନୀୟ, ଛୁରିଆପାଲିରେ ଏହି ବର୍ଷ ନୂଆ ରଥ ୬ ଚକାରେ ତିଆରି ହେଉଥିବାରୁ ଏହାକୁ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଯାଉଛି।
ଅକ୍ଷୟ ତୃତୀୟାରୁ ଆରମ୍ଭ ହେଉଥିବା ଏହି ପାରମ୍ପରିକ କାର୍ଯ୍ୟ ଗ୍ରାମବାସୀଙ୍କ ମନରେ ଭକ୍ତି ଓ ଉତ୍ସାହକୁ ବଢ଼ାଇଛି। ଆସନ୍ତା ରଥଯାତ୍ରାକୁ ନେଇ ଏବେଠାରୁ ଗ୍ରାମରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି ଓ ସମସ୍ତେ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।

Leave A Reply

Your email address will not be published.