ରାଉରକେଲା,(ବସନ୍ତ କୁମାର ଜେନା) : ମ୍ୟୁଜିକ୍ ସର୍କଲ ଆୟୋଜିତ ତ୍ରିଦିବସୀୟ ବସନ୍ତ ସମାରୋହ “ନିନାଦ” ଆଜି ଉଦଯାପିତ ହୋଇଯାଇଛି। ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଦୀପ୍ତି ରଞ୍ଜନ ପଟ୍ଟନାୟକ ଉଦଯାପନୀ ସଂଧ୍ୟାକୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ବରଂଜନ ପଲାଇ, ସମ୍ମାନିତ ଅତିଥି ମାରଓ୍ବାଡି ମହିଳା ଯୁବ ମଞ୍ଚର ସଭାପତି ଅନାମିକା ମିତ୍ତଲ, ଚେମ୍ବର ଅଫ୍ କମର୍ସର ସଭାପତି ମଳୟ ମଣ୍ଡଳ, ମ୍ୟୁଜିକ୍ ସର୍କଲର ଅନ୍ୟତମ ଉପାଧ୍ୟକ୍ଷ ଲାୟନ ରାକେଶ ସିଂହ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷ ଶାରଦା ପ୍ରସାଦ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହକୁ ମୁଖ୍ୟ ଉପଦେଷ୍ଟା ଡ. ସମର ମୁଦାଲି ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ଉପାଧ୍ୟକ୍ଷ ଅଭୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ମୀକାନ୍ତ ପାଲିତଙ୍କୁ ‘ବସନ୍ତ ସମ୍ମାନ’, ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀଙ୍କୁ ‘ମକ୍ତିକାନ୍ତ ନାଟ୍ୟ ସମ୍ମାନ ‘, ଡ. ଆଲୋକ ବରାଳଙ୍କୁ ‘ ପ୍ରଭାତ ନଳିନୀ ସାହିତ୍ୟ ସମ୍ମାନ ‘, ଡ. ପ୍ରିୟଙ୍କା ଦାସଙ୍କୁ ‘ଡ. ପ୍ରଭାତ କୁମାର ଚାନ୍ଦ ସ୍ମୃତି ସମ୍ମାନ ‘ ଅତିଥି ମାନଙ୍କ ଦ୍ବାରା ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଏବଂ ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁଶ୍ରୀ ଡ.ମନୋରଞ୍ଜନ ପ୍ରଧାନ ଏବଂ ଗୁରୁମା ମିନତି ପ୍ରଧାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପ୍ରାତଃ ଅଧିବେଶନରେ ଅନୁଷ୍ଠିତ ହୋଇଥିବା ସାମୂହିକ ଲୋକନୃତ୍ୟ ପ୍ରତିଯୋଗିତା ଏବଂ ବାଦ୍ୟଯନ୍ତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ୨୦ ଜଣ କଳାକାରଙ୍କୁ ଅତିଥି ମାନେ ପ୍ରମାଣ ପତ୍ର, ଫଳକ ଏବଂ ଆର୍ଥିକ ପ୍ରୋତ୍ସାହନ ଦେଇ ସମ୍ମାନିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଲକ୍ଷ୍ମୀକାନ୍ତ ପାଲିତ ଏବଂ ନମ୍ରତା ବର୍ମା ସଂଗୀତ ପରିବେଷଣ କରିଥିବାବେଳେ କଲିକତାରୁ ଆସିଥିବା ପୁଷ୍ପିତା ମୁଖାର୍ଜୀଙ୍କ ନେତୃତ୍ବରେ ତାଙ୍କ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟ ଏବଂ ମ୍ୟୁଜିକ୍ ସର୍କଲର କଳାକାର ମାନେ ଅଳକା ଚାନ୍ଦଙ୍କ ରଚିତ ଏବଂ ଗୁରୁ ସୁଦେଷ୍ଣା ରାଉତଙ୍କ ନେତୃତ୍ବରେ ‘ଏଇ ଆମ ଟିକି ଗାଆଁ ‘ ନୃତ୍ୟ ନାଟିକା ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଶେଷରେ କଲିକତାର ପୁଷ୍ଟିସାର ମୁଖାର୍ଜୀଙ୍କ ଗୃପ୍ ବସନ୍ତ ରାଗରେ ରବୀନ୍ଦ୍ର ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ପ୍ରଦୀପ୍ତ କୁମାର ସାହୁ, ବିବେକାନନ୍ଦ ପଣ୍ଡା, ସନ୍ତୋଷ କୁମାର ମଲ୍ଲିକ, ଲକ୍ଷ୍ମଣ ନାଥ ଦାସ, ନିଖିଳେଶ୍ବର ଦାଶ, ସଂଧ୍ୟା ଲାକ୍ରା, ସ୍ନେହଲତା ନାୟକ ପ୍ରମୁଖ କର୍ମକର୍ତ୍ତା, ସ୍ପ୍ରିଂ ଭେଲି ସ୍କୁଲର ଶିକ୍ଷୟିତ୍ରୀ ଏବଂ ଏବଂ କର୍ମଚାରୀମାନେ ସହାୟତା କରିଥିବାବେଳେ ସହରର ବହୁ କଳା ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.