ରାସ୍ତା ମରାମତି ଦାବିରେ ଜାତୀୟ ରାଜପଥ ଅବରୋଧ ୮ରେ

0

 

ବାରିପଦାରୁ ଦିଲ୍ଲୀପ ମହାନ୍ତି –  ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନସ୍ତ କୁଳିଅଣାବ୍ଲକର ଦରଖୋଳି-ବାଇଗଣବାଡ଼ିଆ ହାଟ ମୁଖ୍ୟରାସ୍ତା ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ମରଣଯନ୍ତାରେ ପରିଣତ ହୋଇଯାଇଛି । ବିଭିନ୍ନ ସମୟରେ ଉକ୍ତ ବିପଦପୂର୍ଣ୍ଣ ରାସ୍ତା ଉପରେ ଯାଉଥିବା ଯାନବାହନଗୁଡ଼ିକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛି ।  ସାମାନ୍ୟ ବର୍ଷା ହେଲେ ରାସ୍ତା ଆଣ୍ଠୁଏ କାଦୁଅରେ ହୋଇଯାଉଛି । ଉକ୍ତ ରାସ୍ତା ଉପରେ ମୁଖ୍ୟତଃ ବାଉଁଶକାଣ୍ଟି, ପଳାଶବଣି, ସରଡ଼ିହା, ଧମୁଣ୍ଡା, ଧନୁକଡ଼ିହା ଓ ଶାନ୍ତିଶୋଳ ଆଦି ବିଭିନ୍ନ ଗ୍ରାମର ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି । ଗ୍ରାମରେ କୌଣସି ବ୍ୟକ୍ତି ରୋଗରେ ପଡ଼ିଲେ ଗ୍ରାମକୁ ୧୦୮ ଆମ୍ବୁଲାନ୍ସ, କୌଣସି ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ବାହିନୀ ଆସି ନ ପାରିବାରୁ ଜନସାଧାରଣଙ୍କର ଧନଜୀବନ ହାନୀର କାରଣ ପାଲଟି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମୋ ଗାଁ ଆମୋ ବିକାଶ ନାରା ଦେଉଥିବା ବେଳେ କୁଳିଅଣା ବ୍ଲକରେ ଗ୍ରାମର ବିକାଶ ସାତସପନରେ ପରିଣତ ହୋଇଯାଇଛି ।  ଗ୍ରାମବାସୀମାନଙ୍କ ନିମନ୍ତେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଓ ମରାମତି କରାଯିବା ନିମନ୍ତେ ମୟୂରଭଞ୍ଜ ଜିଲାପ୍ରଶାସନଙ୍କ ନିକଟରେ ଦାବି କରାଯାଇ ଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଜନସାଧାରଣଙ୍କ ଦାବି ପ୍ରତି ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି । ଫଳରେ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଜନତାଜନାର୍ଦ୍ଧନ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହୋଇ ଗତ ଡ଼ିସେମ୍ବର ୧୧ରେ ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତଥାପି ଜିଲାପ୍ରଶାସନର ନିଦ୍ରା ଭଙ୍ଗ ନ ହେବାରୁ ଗ୍ରାମବାସୀମାନେ ସରକାରଙ୍କ ନିମନ୍ତେ ଏକ ଲକ୍ଷ୍ମଣରେଖା ଟାଣି ଦେଇଛନ୍ତି । ଏଥି ନିମନ୍ତେ ଆରଡ଼ି ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ବେହେରାଙ୍କୁ ଗ୍ରାମବାସୀମାନଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ତାଙ୍କର ନିଷ୍ପତ୍ତି ଶୁଣାଇ ପ୍ରଶାସନକୁ ୭ ଦିନ ସମୟ ଦେଇଛନ୍ତି । ଏହି ସମୟସୀମା ମଧ୍ୟରେ ରାସ୍ତା ନିର୍ମାଣ କରା ନ ଗଲେ ଆସନ୍ତା ଜାନୁଆରୀ ୮ରେ ଜାତୀୟ ରାଜପଥକୁ ଅବରୋଧ କରିବାର ଚେତାବନୀ ଦେଇଛନ୍ତି । ଏହି ସମୟରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ବିକାଶ ମହାଭୋଇ, ନରେନ୍ ବେହେରା, ସଞ୍ଜୀବ ବେହେରା, ଜ୍ଞାନଦେବ ବେହେରା, ପ୍ରିୟ ପଦ କର, ଦୁଖୀରାମ ମୁର୍ମୁ, ସୁଶାନ୍ତ ବେହେରା, ମାନସ ରଞ୍ଜନ ଚୌଧୁରୀ, ଦେବଦତ୍ତ ବେହେରା, ରତନ ମଣ୍ଡଳ, ସତ୍ୟପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.