ଓଡ଼ଗାଁ,୧୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ବେଆଇନ ନିଶା ଦ୍ରବ୍ୟ କାରବାର ଦିନକୁ ଦିନ ବଢ଼ୁଥିବା ବେଳେ ଏହାର ଗୁରୁତର ପ୍ରଭାବ କୈଶୋର ଓ ଯୁବମାନଙ୍କ ଉପରେ ପଡ଼ୁଛି। ବିଶେଷ କରି ବ୍ରାଉନ ସୁଗାର ଭଳି “ଧଳା ଜହର” ପ୍ରତି ଆକର୍ଷଣ ବୃଦ୍ଧି ପାଇ ସାମାଜିକ ଅସ୍ଥିରତା ଓ ପାରିବାରିକ ଅଶାନ୍ତିକୁ ବଢ଼ାଇଛି। ନିଶାସକ୍ତ କୈଶୋରମାନେ ବାଇକ୍ ଓ ମୋବାଇଲ୍ ପାଇଁ ପ୍ରଥମେ ପରିବାର ଉପରେ ଚାପ ସୃଷ୍ଟି କରୁଥିବା ବେଳେ, ପରେ ନିଶା ପାଇଁ ଦୈନିକ ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ ହେଉଛନ୍ତି। ଏହି ପରିସ୍ଥିତିରେ ସହଜରେ ଟଙ୍କା ଅର୍ଜନର ଲୋଭରେ ସେମାନେ ସାଇବର ଠକେଇ ପଥକୁ ଅନୁସରଣ କରୁଛନ୍ତି। ସୂଚନା ଅନୁଯାୟୀ, ଏହି ଅଞ୍ଚଳ ଧୀରେ ଧୀରେ ସାଇବର ଠକମାନଙ୍କ ପାଇଁ ଭୂସ୍ୱର୍ଗରେ ପରିଣତ ହେଉଛି। ଠକମାନେ ନୂତନ ନୂତନ ଉପାୟ ଅବଳମ୍ବନ କରି ପୋଲିସକୁ ଚକମା ଦେଇ ଠକେଇ କାରବାର ବିସ୍ତାର କରୁଛନ୍ତି। ଗ୍ରାମାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ, ଜବକାର୍ଡଧାରୀ ଓ ନୂତନ ବ୍ୟାଙ୍କ ଖାତା ଖୋଲିବା ନାମରେ କେୱାଇସି କରାଇବା ବାହାନାରେ ଆଧାର ଓ ବ୍ୟାଙ୍କ ସୂଚନା ସଂଗ୍ରହ କରି ଲୋକମାନଙ୍କୁ ଠକୁଛନ୍ତି। ସମାଜର ଭବିଷ୍ୟତ ଯୁବପିଢ଼ୀ ଯଦି ଏପରି ନିଶାସକ୍ତି ଓ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବେ, ତେବେ ସେମାନଙ୍କ ଦକ୍ଷତା ଧୀରେ ଧୀରେ ଲୋପ ପାଇ ସମାଜ ପାଇଁ ଭାର ହେବାର ଆଶଙ୍କା ରହିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ନୟାଗଡ଼ ସଦରମହକୁମାରେ ଖୋଲାଯାଇଥିବା ସାଇବର ଥାନା ପକ୍ଷରୁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ବିଶେଷ ଅଭିଯାନ ଆରମ୍ଭ କରିବାକୁ ଦାବି ହେଉଛି। ସମୟୋପଯୋଗୀ ପଦକ୍ଷେପ ନ ନିଆଯାଇଲେ ପରିସ୍ଥିତି ଆହୁରି ଗୁରୁତର ହେବାର ସମ୍ଭାବନା ରହିଛି।
Sign in
Sign in
Recover your password.
A password will be e-mailed to you.