ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ/ ତାରିଖ-୨୬/୨/୨୬: ମାଲକାନଗିରି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ଏକ ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି, ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପଦ୍ମଗିରି, କାମବେଡ଼ା ଏବଂ ପୋଟ୍ରେଲ ଭଳି ବିଭିନ୍ନ ମଣ୍ଡିରୁ ଶତାଧିକ ଚାଷୀ ଆସି ମାଲକାନଗିରି ଜିଲ୍ଲାପାଳ ଏବଂ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ପକ୍ଷରୁ ଧାନ ଉଠାଇବା ପାଇଁ ଧାର୍ଯ୍ୟ କରାଯାଇଥିବା ସାପ୍ତାହିକ ଲକ୍ଷ୍ୟ ଅତି ନଗଣ୍ୟ ରହିଛି। ପୂର୍ବରୁ ପ୍ରତି ମଣ୍ଡିରୁ ପ୍ରାୟ ୨୦୦୦ କ୍ୱିଣ୍ଟାଲ ଧାନ ଉଠାଯାଉଥିବା ବେଳେ ଏବେ ତାହା କମି କମି ୭୦୦ ରୁ ୧୨୦୦ କ୍ୱିଣ୍ଟାଲ ମଧ୍ୟରେ ସୀମିତ ରହିଛି, ଯାହାଫଳରେ ପଦ୍ମଗିରି ମଣ୍ଡିରେ ପ୍ରାୟ ୭୬୦୦ କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହି ନଷ୍ଟ ହେବାକୁ ବସିଛି।ଏହି ସମସ୍ୟା ଯୋଗୁଁ ଚାଷୀମାନେ ନିଜର ଟୋକନ୍ ଅବଧି ଶେଷ ହୋଇଯିବା ଭୟରେ ମାନସିକ ଚାପରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଦୁଇ ଦିନ ମଧ୍ୟରେ ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଚେଷ୍ଟା କରାଯିବ। କିନ୍ତୁ ଚାଷୀମାନେ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି ତୁରନ୍ତ ସାପ୍ତାହିକ ଟାର୍ଗେଟ୍ ବୃଦ୍ଧି କରାନଯାଏ ଏବଂ ମଣ୍ଡିରୁ ଧାନ ଉଠାଣ ସ୍ୱାଭାବିକ ନହୁଏ, ତେବେ ଆଗାମୀ ଦିନରେ ସେମାନେ ରାଜପଥ ଅବରୋଧ କରି ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ। କଷ୍ଟ ଅର୍ଜିତ ଫସଲର ଉଚିତ୍ ମୂଲ୍ୟ ଏବଂ ସୁରକ୍ଷା ପାଇଁ ଚାଷୀଙ୍କର ଏହି ସଂଗ୍ରାମ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
Sign in
Sign in
Recover your password.
A password will be e-mailed to you.