ଓଡ଼ଗାଁ, ୨୫ା୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରାମ ସାଗର ପାର୍କ ସମ୍ମୁଖରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ୪୦୭ ଟ୍ରକ ମାଡ଼ିଯିବା ଫଳରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଲେ ଲଣ୍ଡାବାଦୁ ଗ୍ରାମର ନିଳୀମା ମୁଦୁଲି। ସୂଚନା ଅନୁଯାୟୀ, ନିଳୀମା ଓଡ଼ଗାଁରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ବୁଧବାର ଅପରାହ୍ନରେ ସେ କୈବଲ୍ୟପୁର ଗ୍ରାମରୁ ଏକ ମାଙ୍ଗଳିକ ଉତ୍ସବକାର୍ଯ୍ୟ ସାରି ଓଡି ୦୫ ଏଓ୍ବାଇ ୦୦୫୭ ସ୍କୁଟି ଯୋଗେ ଫେରୁଥିଲେ। ଏହି ସମୟରେ ୨୧ ନମ୍ବର ରାଜ୍ୟ ରାଜପଥର ଓଡ଼ଗାଁ ସିନେମା ହଲ୍ଠାରୁ ରାମ ସାଗର ପାର୍କ ମଧ୍ୟବର୍ତ୍ତୀ ସ୍ଥାନରେ ଏକ ୪୦୭ ଟ୍ରକ ନମ୍ବର- ଓଡି ୦୨ ୬୮୪୭ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ସ୍କୁଟିରୁ ଛିଟିକି ପଡ଼ିଥିଲେ ଏବଂ ଟ୍ରକର ଚକା ତାଙ୍କ ମୁଣ୍ଡର କେତେକାଂଶରେ ଚଢ଼ିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଓଡ଼ଗାଁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ନିଳୀମାଙ୍କ ମା’ ଡାକ୍ତରଖାନାରେ ପହଞ୍ଚିବା ପରେ କାନ୍ଦବୋବାଳିରେ ପରିବେଶ ଶୋକାକୁଳ ହୋଇପଡ଼ିଥିଲା। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲେ ହେଁ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ସ୍କୁଟି ଟିକୁ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ନିଳୀମାଙ୍କ ବାପା ସୁରାଟରେ ଶ୍ରମିକ ଭାବେ କାମ କରନ୍ତି। ଆର୍ଥିକ ଅନାଟନ ଯୋଗୁଁ ପରିବାରକୁ ସାହାଯ୍ୟ କରିବା ପାଇଁ ସେ ଗାଁରୁ ଆସି ଓଡ଼ଗାଁରେ ରହି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.