ସାତଟି ପରୀକ୍ଷା କେନ୍ଦ୍ରରେ ମାତୃଭାଷା ପରୀକ୍ଷା ଦେଲେ ବେଲଗୁଣ୍ଠା ବ୍ଳକ୍ ର ୧୫୬୮ ଛାତ୍ରଛାତ୍ରୀ

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା I ଆଜି ପ୍ରତିପଦ ଦିନରେ ମାତୃଭାଷା ପରୀକ୍ଷା ଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର ସାତଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନର ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି I ଆଜି ବେଲଗୁଣ୍ଠା ବ୍ଳକ୍ ର ସାତଟି ପରୀକ୍ଷା କେନ୍ଦ୍ରରେ ୧୫୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ I ପରୀକ୍ଷା କେନ୍ଦ୍ର ହୋଇଥିବା ବିଏଲ୍ଏସ୍ ପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୁବେର ମେହେର, ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା,ତନରଡା ଆର୍ଯ୍ୟକନ୍ୟା ଗୁରୁକୁଳରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଡୋକି ସରୋଜିନୀ, ଗୋବରା ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରବିନାରାୟଣ ଗୌଡ଼,କ୍ଷତ୍ରିୟବରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଏବଂ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ରୂପେ ପରୀକ୍ଷା କେନ୍ଦ୍ର ଗୁଡିକୁ ସୁପରିଚାଳନା କରିଥିଲେ I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରିଙ୍କ ସମେତ ବିଭିନ୍ନ ବ୍ଳକ୍ ସ୍ତରୀୟ ଅଧିକାରୀ ପରୀକ୍ଷା କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିଲେ I ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ଏବଂ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ପରୀକ୍ଷା କେନ୍ଦ୍ର ଗୁଡିକର ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ I ଆଜି ଛାତ୍ର ଛାତ୍ରୀଙ୍କ ପାଇଁ ପରୀକ୍ଷାର ପ୍ରଥମ ଦିନ ଥିବାରୁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ର ଫାଟକ ସାମନାରେ ପହଞ୍ଚି ଉତ୍କଣ୍ଠାର ସହିତ ଫାଟକ ଖୋଲିବା ସମୟକୁ ଅପେକ୍ଷା କରି ରହିବା ସହ ପରୀକ୍ଷା କେନ୍ଦ୍ରରୁ ବାହାରିବା ସମୟରେ ମଧ୍ୟ ବେଶ୍ ଖୁସିଥିବା ଦେଖିବାକୁ ମିଳିଥିଲା I

Leave A Reply

Your email address will not be published.