ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅନ୍ତଃ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ତରଫରୁ ” ନାକ୍ ” ମାନ୍ୟତା ପାଇଁ ଗୁଣମାନ ସଂସ୍କୃତିର ଅନ୍ତର୍ନିହିତକରଣ : ଆଇ.କ୍ୟୁ.ଏ.ସି. ଦୃଷ୍ଟିକୋଣ” ଶୀର୍ଷକରେ ଏକ ଏକଦିନିଆ କର୍ମଶାଳା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ. ସୁଭେନ୍ଦୁ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ଆଇ.କ୍ୟୁ.ଏ.ସି. ସଂଯୋଜକ ଡ. ବିଘ୍ନେଶ୍ୱର ମିଶ୍ର ତାଙ୍କ ଉଦ୍ବୋଧନରେ ଉଚ୍ଚଶିକ୍ଷା ସଂସ୍ଥାରେ ଗୁଣମାନ ଆଶ୍ୱାସନକୁ ଏକ ଅବିରତ ପ୍ରକ୍ରିୟା ଭାବେ ଗ୍ରହଣ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ଉପସ୍ଥିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଜିତେନ୍ଦ୍ର ନାଥ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ନାକ୍ ମାନ୍ୟତାକୁ କେବଳ ମୂଲ୍ୟାୟନ ମାଧ୍ୟମ ନୁହେଁ , ବରଂ ସଂସ୍ଥାଗତ ଗୁଣମାନ ଉନ୍ନତିର ଏକ ଦୃଢ଼ ଢାଞ୍ଚା ବୋଲି ଅଭିହିତ କରିଥିଲେ। ସମ୍ମାନିତ ଅତିଥି ସିୟୁଟିମ ର ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଏବଂ ସଂଯୋଜକ ଡ. ଗିରିଶ ପ୍ରସାଦ ରଥ ତାଙ୍କ ଭାଷଣରେ ଆଇ.କ୍ୟୁ.ଏ.ସି.ର ଭୂମିକା ,ନାକ୍ ମାନଦଣ୍ଡ ସହ ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରଣାଳୀର ସମନ୍ୱୟ ଓ ଡକ୍ୟୁମେଣ୍ଟେସନର ପ୍ରାୟୋଗିକ ପ୍ରାସଙ୍ଗିକତା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରୋଫେସର ରାଧାକାନ୍ତ ଭୂୟାଁ ସଭାପତିତ୍ୱ କରି ସମସ୍ତ ବିଭାଗର ସାମୁହିକ ଅଂଶଗ୍ରହଣ ଦ୍ୱାରା ଗୁଣମାନ ସଂସ୍କୃତି ସଫଳ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।
ଏହି କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ ବିଭାଗ ମୁଖ୍ୟ ଓ ଆନ୍ତଃ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାର୍ଥକ କରିଥିଲେ। ଶେଷରେ ଭୂଗୋଳ ବିଭାଗର ସହକାରୀ ପ୍ରଫେସର ଶ୍ରୀ ଆର୍ଚିସ୍ମାନ ସର୍ଦ୍ଦାର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.