ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:; ମାଲକାନଗିରି ଜିଲ୍ଲାକୁ ଶିଶୁ ବିବାହମୁକ୍ତ କରିବା ଲକ୍ଷ୍ୟ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ବାଲ୍ ବିବାହ ମୁକ୍ତି ରଥ’ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ଏହି ସଚେତନତା ଅଭିଯାନ ମାଧ୍ଯମରେ ଜିଲ୍ଲାର ଗ୍ରାମଞ୍ଚଳରୁ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ଶିଶୁ ବିବାହର କୁଫଳ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଯିବ।
ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ କି, ଶିଶୁ ବିବାହ ହେଉଛି ଆଇନଗତ ଅପରାଧ ଓ ସମାଜ ପାଇଁ ଗୁରୁତର ସମସ୍ୟା। ଏହା କେବଳ ଶିଶୁମାନଙ୍କ ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟକୁ କ୍ଷତିଗ୍ରସ୍ତ କରେନାହଁ , ତାଙ୍କର ଶିକ୍ଷା ଓ ଭବିଷ୍ୟତକୁ ମଧ୍ୟ ବାଧାଗ୍ରସ୍ତ କରେ। ସମସ୍ତଙ୍କ ସହଯୋଗ ଓ ସଚେତନତା ଦ୍ଵାରା ଏହି କୁପ୍ରଥାକୁ ଦୂର କରିହେବ ବୋଲି ସେ କହିଥିଲେ। । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏହି ଅଭିଯାନର ଲକ୍ଷ୍ୟ ଓ କାର୍ଯ୍ୟପଦ୍ଧତି ବିଷୟରେ ଅଲୋକପାତ କରି କହିଥିଲେ କି, ଏହି ରଥ ମାଧ୍ଯମରେ ବିଭିନ୍ନ ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ ଓ ଜନସାଧାରଣଙ୍କ ମଧ୍ୟରେ ଆଇନ ସମ୍ବନ୍ଧୀୟ ଜ୍ଞାନ, ସରକାରୀ ଯୋଜନା ଓ ସହାୟତା ସେବା ବିଷୟରେ ସଚେତନତା ପ୍ରଚାର କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଶକ୍ତିକରଣ ହବ୍, ୱାନ ଷ୍ଟପ୍ ସେଣ୍ଟର, ପରିବର୍ତ୍ତନ ଏଞ୍ଜିଓ ଓ ଶକ୍ତି ସଂସ୍ଥାର କର୍ମଚାରୀମାନେ ସକ୍ରିୟଭାବେ ଭାଗ ନେଇଥିଲେ। ସମସ୍ତେ ଏକତ୍ର ହୋଇ ଶିଶୁ ବିବାହରେ
ଲଗାମ ପାଇଁ ସମୁଦାୟ ଆଧାରିତ ସଚେତନତା ଜୋରଦାର କରିବାର ସଙ୍କଳ୍ପ ନେଇଥିଲେ। ଉଲ୍ଲେଖନୀୟ ଯେ, ଏହି ସଚେତନତା ଅଭିଯାନଟି ଶକ୍ତି ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ସଂଗଠନ, ମାଲକାନଗିରି ଦ୍ଵାରା ଆୟୋଜିତ ହୋଇଥିଲା। ଆଗାମୀ କିଛି ଦିନ ଧରି ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଘୁରି ସଚେତନତା ସନ୍ଦେଶ ପହଞ୍ଚାଇବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରୟାସକୁ ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ଓ ସୁସ୍ଥ ସମାଜ ଗଠନ ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବେ ଦେଖାଯାଉଛି।
Sign in
Sign in
Recover your password.
A password will be e-mailed to you.