ତାଳପଦର ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

0 2

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀ ଗୁରୁମା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀଙ୍କ ବ୍ୟାପକ ଉପସ୍ଥିତିରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା।ଏହି ଅବସରରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଦେଶ୍ୟ କରି ନିଜ ବକ୍ତବ୍ୟରେ କହିଥିଲେ “ସରସ୍ବତୀ ଶିଶୁମନ୍ଦିର ପରି ଶିକ୍ଷାନୁଷ୍ଠାନ କେବଳ ପୁସ୍ତକୀୟ ଶିକ୍ଷା ନୁହେଁ, ଶିଶୁମାନଙ୍କ ମନରେ ସଂସ୍କାର, ଶିଷ୍ଟାଚାର, ଦେଶଭକ୍ତି ଓ ନୀତିମୂଲ୍ୟ ଗଢ଼ି ତୋଳୁଛି। ଆଜିର ଶିଶୁ ହିଁ ଆସନ୍ତାକାଲିର ଦେଶର ଭବିଷ୍ୟତ।”ସେ ଆହୁରି କହିଥିଲେ ଯେ ଗୁରୁଜୀ, ଗୁରୁମା, ଅଭିଭାବକ ଓ ସମାଜ ଏକାଠି ହୋଇ ଯଦି ଶିଶୁମାନଙ୍କୁ ସଠିକ୍ ଦିଗରେ ନେତୃତ୍ୱ ଦେବେ, ତେବେ ଦେଶ ନିଶ୍ଚିତ ଭାବେ ଉନ୍ନତିର ପଥରେ ଆଗକୁ ବଢ଼ିବ। ଶିକ୍ଷା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁମାନଙ୍କ ଲୁକ୍ତ ପ୍ରତିଭାକୁ ଉଦ୍‌ଘାଟିତ କରେ ବୋଲି ସେ ମତ ପ୍ରକାଶ କରିଥିଲେ।ସମ୍ମାନୀତ ଅତିଥି ଭାବେ ଗଣେଶ କିସାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଡୁଙ୍ଗୁରିପାଲି ବ୍ଲକ ଯୋଗଦେଇ ଗୁରୁଜୀ ଗୁରୁମାଙ୍କ ନିଷ୍ଠା ଓ ଅଭିଭାବକଙ୍କ ସହଯୋଗ ଶିଶୁମାନଙ୍କ ସମଗ୍ର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ।ଏହି ଅବସରରେ ଲୋକବନ୍ଧୁ ପଧାନ, ଓଡ଼ିଆ ଅଧ୍ୟାପକ (ସତଲମା) ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ବାସୁଦେବ ପଧାନ ସଭାପତିତ୍ୱ କରିଥିବାବେଳେ ସୁଶାନ୍ତ ରଞ୍ଜନ ପଧାନ ସମ୍ପାଦକ ଭାବେ ଓ ସୁକାନ୍ତି ରଣା ପ୍ରଧାନ ଆଚାର୍ଯ୍ୟ ଭାବେ ମଞ୍ଚାସୀନ ଥିଲେ।ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଦେଶଭକ୍ତିମୂଳକ ଗୀତ, ନୃତ୍ୟ ଓ ନାଟକ ‘ମହିଷା ମର୍ଦିନୀ’ ସମସ୍ତଙ୍କ ମନକୁ ଜିତିଥିଲା। ଏହି ଅବସରରେ ଗୁରୁଜୀ ଗୁରୁମାଙ୍କ ସହଯୋଗ ଓ ପରିଶ୍ରମକୁ ଅତିଥିମାନେ ଭୁରିଭୁରି ପ୍ରଶଂସା କରିଥିଲେ।ଶେଷରେ ବିଧାୟକ ସନତ କୁମାର ଗଡ଼ତୀୟା ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଗଜାନନ ସାହୁ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଗୁରୁଜୀ ଗୁରୁମା, ଅଭିଭାବକ ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଇ କାର୍ଯ୍ୟକ୍ରମର ଶେଷ ଘୋଷଣା କରିଥିଲେ।

Leave A Reply

Your email address will not be published.