ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ମାନଙ୍କୁ ବିଡିଓଙ୍କ ତାଗିଦ୍

0 2

ମା’ପରି ଶିଶୁମାନଙ୍କ ଯତ୍ନ ନେବାକୁ ପରାମର୍ଶ

ଓଡ଼ଗାଁ,୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ଓଡ଼ଗାଁ ବିଡିଓ ପ୍ରିତିବାଳା ରଣା ମା’ ପରି ଶିଶୁମାନଙ୍କ ଯତ୍ନ ନେବାକୁ ଉପସ୍ଥିତ ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କୁ ପରାମର୍ଶ ଦେଇଛନ୍ତି। ଶିଶୁଟିଏ ମାତୃ ଗର୍ଭରେ ସଞ୍ଚାରିତ ହେବା ଠାରୁ ଜନ୍ମଗ୍ରହଣ କରିବା ଏବଂ ସେମାନଙ୍କୁ ୧୪ ବର୍ଷ ହେଲା ପର୍ଯ୍ୟନ୍ତ ସରକାରଙ୍କ ଉଦ୍ୟମରେ ସମସ୍ତ ପ୍ରକାର ସରକାରୀ ସୁବିଧା ଉପଲବ୍ଧ ଥିବାବେଳେ ସେମାନଙ୍କ ପ୍ରତି କୌଣସି ପ୍ରକାର ଅବହେଳା ଅନସ୍ବୀକାର୍ଯ୍ୟ। କାରଣ ଶିଶୁଟିଏ ମାତୃ ଗର୍ଭରେ ସଞ୍ଚରିତ ହେବା ପରଠୁ ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ ବଢ଼ିଯାଏ।ପେଟ ଭିତରେ ବଢ଼ୁଥିବା ଶିଶୁ ଏବଂ ମା’ ସ୍ବାସ୍ଥ୍ୟର ଯତ୍ନ, ପୁଷ୍ଟିକର ଖାଦ୍ୟ ଗ୍ରହଣ,ଡାକ୍ତରୀ ପରୀକ୍ଷା ଏବଂ ପରାମର୍ଶ ପାଇଁ ଅଙ୍ଗନବାଡ଼ି କର୍ମୀହିଁ ସମସ୍ତ ଦାୟିତ୍ବ ତୁଲାଉଥିବା ବେଳେ ୩ ରୁ ୫ ବର୍ଷର ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଥାନ୍ତି।ସରକାରଙ୍କ ଦ୍ବାରା ପ୍ରସ୍ତୁତ ଖସଡ଼ା ଅନୁଯାୟୀ ସପ୍ତାହରେ କେଉଁ ପ୍ରକାର ଖାଦ୍ୟ କେଉଁବାରେ ସକାଳ ଜଳଖିଆରେ ଓ ଗରମ ରନ୍ଧା ଖାଦ୍ୟରେ ଦିଆଯିବ ସେହି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିଦେବେ।କେନ୍ଦ୍ରରେ ରନ୍ଧାଯାଉଥିବା ଖାଦ୍ୟ ବ୍ୟତୀତ ଅନ୍ୟ କୌଣସି ବାହାର ଖାଦ୍ୟ ଯେପରି ଦିଆନଯାଏ।ଅନ୍ୟଥା ଏଥିରେ ବ୍ୟତିକ୍ରମ ସୃଷ୍ଟି ହେଲେ, କଦାପି ବରଦାସ୍ତ କରାଯିବ ନାହିଁ ବୋଲି ବିଡିଓ ସମସ୍ତଙ୍କୁ ଚେତାବନୀ ଦେଇଥିଲେ।ସୂଚନା ଥାଉକି ଗତ ଜାନୁଆରୀ ୩୧ ତାରିଖରେ କୁରୁମ ବାଙ୍କତରା ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ବାହାର ଖାଦ୍ୟ ଦିଆ ହୋଇଥିବା ନେଇ ଗ୍ରାମବାସୀ ଏବଂ ଅଭିଭାବକ ମାନେ ଓଡ଼ଗାଁ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ।ଫେବୃୟାରୀ ୦୨ ତାରିଖରେ ବିଡିଓ,ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନ,ଅଞ୍ଚଳ ପରିଦର୍ଶିକା ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ତଦନ୍ତ କରିବା ବେଳେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ।ବିଡିଓଙ୍କ ନିର୍ଦ୍ଦେଶରେ ଶିଶୁ ବିକାଶ ଅଧିକାରୀ ଆଜି ସମସ୍ତ ଅଙ୍ଗନବାଡ଼ି ଓ ସହାୟିକା ମାନଙ୍କ ବୈଠକ ଡାକିଥିଲେ।

Leave A Reply

Your email address will not be published.