ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁରସ୍ଥିତ ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ ମଧ୍ୟ ସମ୍ମିଳିତ ଭାବେ ଆୟୋଜିତ ହେଉଛି।ସ୍ଥାନୀୟ ଜମିଦାର ତଥା ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ପରିଚାଳନା କମିଟି ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଓ ସଂପାଦକ ଦେବାର୍ଚ୍ଚନ ସାହୁଙ୍କ ସଂଯୋଜନାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା ବିଧାୟକ ସନତ କୁମାର ଗଡ଼ତୀୟା ନିଜ ବକ୍ତବ୍ୟରେ କହିଥିଲେ “ଶ୍ରୀଅରବିନ୍ଦଙ୍କ ଶିକ୍ଷା ଦର୍ଶନ ମାନବକୁ କେବଳ ପାଠ୍ୟ ଜ୍ଞାନ ନୁହେଁ, ନୀତି, ଚରିତ୍ର ଓ ଆତ୍ମିକ ଉନ୍ନତିର ଦିଗ ଦେଖାଏ। ରୂପାନ୍ତରିତ ମନ ଓ ପ୍ରାଣ ଦ୍ୱାରା ମାନବ ନିଜକୁ ଶ୍ରେଷ୍ଠ କରି ସମାଜକୁ ମଧ୍ୟ ସୁନ୍ଦର କରିପାରିବ।”ଶିଶୁମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିବାରେ ଶ୍ରୀଅରବିନ୍ଦ ପାଠଚକ୍ରର ଅବଦାନ ପ୍ରଶଂସନୀୟ ବୋଲି କହି ସେ ସଂସ୍ଥାର ସର୍ବାଙ୍ଗୀଣ ଉନ୍ନତି ପାଇଁ ସଦା ସହଯୋଗ ରହିବ ବୋଲି ଆଶ୍ୱାସନ ଦେଇଥିଲେ।ଏହି ସମାରୋହରେ ସୁବର୍ଣ୍ଣ ଓ ରୌପ୍ୟ ଜୟନ୍ତୀ ସ୍ମରଣିକା “ଅଭୀପ୍ସା” ଲୋକାର୍ପିତ ହୋଇଥିଲା। ନବଜୀବନ ଶିକ୍ଷା ସଂସଦ, କଟକର ପ୍ରାକ୍ତନ ସଂପାଦକ ପ୍ରସାଦ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀଅରବିନ୍ଦଙ୍କ ସମଗ୍ର ଶିକ୍ଷା ଦର୍ଶନ ଉପରେ ଆଲୋକପାତ କରିଥିଲେ। ପ୍ରାକ୍ତନ ବିଇଓ ଘନଶ୍ୟାମ ସାହୁ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ।ଜିଲ୍ଲା ସଂଗଠକ ସମରେନ୍ଦ୍ର ଲେଙ୍କା ଓ ଡକ୍ଟର ଉପେନ୍ଦ୍ର ମହାପାତ୍ର ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ରୂପାନ୍ତରିତ ମନ ପ୍ରାଣ ଦ୍ୱାରା ଭଗବତ୍ ପ୍ରାପ୍ତି ହିଁ ଜୀବନର ପରମ ଲକ୍ଷ୍ୟ ବୋଲି ମତ ପ୍ରକାଶ କରିଥିଲେ ମ୍ୟାନେଜିଂ ଟ୍ରଷ୍ଟି ପ୍ରତିମା ଗୁରୁ ଉଦ୍ଦେଶ୍ୟ ଜ୍ଞାପନ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଟ୍ରଷ୍ଟି ରାଜେଶ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନୀ ସମାରୋହ ପୂର୍ବରୁ ଶ୍ରୀଧର ସାହୁ ମାତୃ ପତାକା ଉତ୍ତୋଳନ କରିଥିଲେ।ଦ୍ୱିତୀୟ ଅଧିବେଶନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜୟନ୍ତୀ ସିଂ, ମମତା ଓ ତପସ୍ଵିନୀ ମହାପାତ୍ର ପ୍ରମୁଖ ଦିବ୍ୟ ଯୁଗ ଗଠନରେ ନାରୀର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରଷ୍ଟି କୁନ୍ତଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସନ୍ଧ୍ୟାରେ ରାଜେଶ୍ବର ବେହେରାଙ୍କ ରଚନା ଓ କୁମର ମହାନନ୍ଦଙ୍କ ନିର୍ଦ୍ଦେଶନାରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ନାଟକ “ଗଛ” ପରିବେଷିତ ହୋଇଥିଲା। ପରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post