ଓଡ଼ଗାଁ,୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଗ୍ରାମଠୁ ସହର ଯାଏଁ ହିନ୍ଦୁ ପରମ୍ପରା ରିତୀନିତୀ ଆଧାରେ ପିଲାମାନଙ୍କ ମଙ୍ଗଳ ମନାସି ମା’ମାନେ ଗ୍ରାମ ଦାଣ୍ଡରେ ପାଳିଲେ ଦାଣ୍ଡପହଁରା ଓ ବାଟ ଓଷା । ପୌଷ ମାସ କୃଷ୍ଣ ଦ୍ୱିତୀୟା ତିଥିରେ ଏହା ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ବେଳେ ମାଆମାନେ ନିଜ ପୁତ୍ର ମାନଙ୍କ ଦୀର୍ଘାୟୁ କାମନା କରି ରାତିରେ ଉପବାସ ରହି ଏହି ଓଷା ପାଳନ କରିଥାନ୍ତି । ବଜ୍ରମୂଳୀ ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ସେଥିରେ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । ପୌରାଣିକ କଥା ଅନୁସାରେ ମୃତ୍ୟୁର ଦେବତା ଯମ ଅତ୍ୟନ୍ତ କଠୋର ଓ ନିର୍ଦ୍ଦୟ ହୋଇଥାନ୍ତି । ସେ ପ୍ରାଣୀର ମୃତ୍ୟୁପରେ କର୍ମ ଅନୁସାରେ ଦଣ୍ଡବିଧାନ କରିଥାନ୍ତି । ଏ ସମସ୍ତ ଦଣ୍ଡରୁ ପାରିହେବା ସହିତ ଯନ୍ତ୍ରଣା ମୁକ୍ତ ହେବାକୁ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟ ଓଷା ବା ଦାଣ୍ଡ ପହଁରା ଓଷାର ପରମ୍ପରା ଆରମ୍ଭ ହୋଇଥିଲା । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ, ନୂଆ ଧାନ କୁଟି ମଣ୍ଡାପିଠା, ମୁଢ଼ି, ଖଇ, ମୁଆଁ, ଚୁଡ଼ା, କଦଳୀ, ମୂଳା, ଆଖୁ, କରମଙ୍ଗା, କନ୍ଦମୂଳ, ତୁଷ ଓ କୁଣ୍ଡା ଆଦି ନୈବେଦ୍ୟ ଅର୍ପଣ କରାଯାଏ । ଗାଁ ଦାଣ୍ଡରେ ଗୋଟିଏ ପାତ୍ରରେ ସିନ୍ଦୂରରେ ଯମଙ୍କ ପ୍ରତିମା ସ୍ଥାପନ ପୂର୍ବକ ମାମାନେ ଚାରିପଟେ ଚାଙ୍ଗୁଡ଼ା ଧରି, ବଜ୍ରମୂଳି ଉପରେ ରଖି କପଡ଼ା ଢାଙ୍କି ବସନ୍ତି ଏବଂ ଯମ ଦେବତାଙ୍କୁ ବ୍ରାହ୍ମଣ ପୁରୋହିତଙ୍କ ଦ୍ବାରା ଷୋଡ଼ଶୋପଚାରରେ ପୂଜାର୍ଚ୍ଚନା କରି ସନ୍ତାନମାନଙ୍କ ଦୀର୍ଘଜୀବନ କାମନା କରି ଯମଙ୍କୁ ସ୍ମରଣ କରିଥାନ୍ତି ।
Sign in
Sign in
Recover your password.
A password will be e-mailed to you.