ଓଡ଼ଗାଁ ପଞ୍ଚାୟତ ସମିତି ଦଶମ ସାଧାରଣ ଅଧିବେଶନ ଅନୁଷ୍ଠିତ, ୯ କୋଟି ୬୦ ଲକ୍ଷ ଟଙ୍କାରେ ନିର୍ମାଣ ହେବ ବୈଷ୍ଣୋଦେବୀ ମନ୍ଦିର ରାସ୍ତା

3

୨୫ ତାରିଖରେ ମନରେଗା ଯୋଜନା ସମ୍ବନ୍ଧୀୟ ସ୍ବତନ୍ତ୍ର ସମନ୍ବୟ ବୈଠକ

ଓଡ଼ଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଳକ କନଫରେନ୍ସ ହଲରେ ଦଶମ ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉପାଧ୍ୟକ୍ଷ ମୀରା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ନିଲାଞ୍ଜନ ଦାସ, ଜିଲ୍ଲା ପରିଷଦ ସଭ୍ୟ ଝିଲ୍ଲି ପ୍ରଧାନ, ବିରଜା ଲକ୍ଷ୍ମୀ ସାହୁ, ରଣପୁର ବିଧାୟକଙ୍କ ପ୍ରତିନିଧି ଲିଙ୍ଗରାଜ ପାତ୍ର ପ୍ରମୁଖଙ୍କ ସହିତ ବ୍ଳକର ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଅନ୍ତର୍ଗତ କାର୍ଯ୍ୟ ଗୁଡ଼ିକୁ ଗତିଶୀଳ କରିବା ନିମନ୍ତେ ଆଗାମୀ ୨୫ ତାରିଖରେ ମନରେଗା ଯୋଜନା ସମ୍ବନ୍ଧୀୟ ସ୍ବତନ୍ତ୍ର ସମନ୍ବୟ ବୈଠକ ଅନୁଷ୍ଠିତ ପାଇଁ ସ୍ଥିର ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତୋଦୟ ଯୋଜନା ମାଧ୍ୟମରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବା ପାଇଁ ପ୍ରଶାସନ ତରଫରୁ ଯେପରି ସହଯୋଗ ରୁହେ ସେଥିପ୍ରତି ଧ୍ୟାନ ଦେବାକୁ ଅଧ୍ୟକ୍ଷ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୧୨୧ ଅଙ୍ଗନବାଡ଼ି କେନ୍ଦ୍ରକୁ ବିଦ୍ୟୁତ୍ ଯୋଗାଣ ନେଇ ଅର୍ଥ ମଞ୍ଜୁର ହୋଇଥିଲା ବେଳେ ଖୁବ୍ ଶୀଘ୍ର କାର୍ଯ୍ୟ ସାରିବା ନିମନ୍ତେ ବିଦ୍ୟୁତ୍ ବିଭାଗ ସହଯୋଗ କରିବାକୁ ଆଜିର ସଭା ବିଦ୍ୟୁତ୍ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଟଙ୍କା ଜମା କରିବାର ୧୫ ଦିନ ବିତିଲାଣି । ହେଲେ ଶିଖରପୁର କଲ୍ୟାଣୀ ମଣ୍ଡପକୁ ବିଦ୍ୟୁତ୍ ଯୋଗାଣ ହୋଇପାରି ନାହିଁ ବୋଲି ସଭ୍ୟ ଆଲୋଚନା ରଖିଥିଲେ। ଶିଖରପୁର ସପ୍ଳାଇ ପାଇପରୁ ପାଣି ଲିକ୍, ପାଣି ଭଣ୍ଡାର, ଖିଲାର ପାଟଣା, ରୋହିବାଙ୍କ ହରିଜନ ସାହି, ନାଣ୍ଡିଗିରି ଓ କଇଁଫୁଲିଆ ଠାରେ ସୋଲାର ସମସ୍ୟା ଯୋଗୁଁ ଜଳ ଯୋଗାଣ ବ୍ୟାହତ ନେଇ ଅଭିଯୋଗ ଉଠିଥିଲା । ତେବେ ସେଥିରୁ କେତୋଟି ମରାମତ ହୋଇଛି ଏବଂ ଅନ୍ୟ ଗୁଡ଼ିକର କାର୍ଯ୍ୟ ଖୁବ୍ ଶୀଘ୍ର ହେବ ବୋଲି ବିଭାଗୀୟ ଯନ୍ତ୍ରୀ ସଭାକୁ କହିଥିଲେ।
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ବାଉଁଶ ଗାଡ଼ିଆ ପୂର୍ତ୍ତ ରାସ୍ତା ଠାରୁ ନାଥ ପଲ୍ଲୀ ଭାୟା ଗଜେନ୍ଦ୍ରା ପଲ୍ଲୀ ଦେଇ ବୈଷ୍ଣୋଦେବୀ ମନ୍ଦିରକୁ ୮ କିଲୋମିଟର ରାସ୍ତା ନିର୍ମାଣ ହେବ । ଏହା ସହିତ କୁରାଳ ପୂର୍ତ୍ତ ରାସ୍ତାରୁ ଭାୟା ବାଦ ଭୂଇଁ ପଥରାକୁ ୪ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୪ କୋଟି ୮୦ ଲକ୍ଷ ଟଙ୍କା ବରାଦ ହୋଇଥିବା ବେଳେ ଶାଳିଆଝରିରୁ ଭୋବସର ବ୍ରିଜ୍ ନିର୍ମାଣ ଓ ଧବଳେଇ ଠାରୁ ବୁଢ଼ା ବୁଢିଆଣୀ, ଗୌଡ଼ପୁଟ ଓ ଯଦୁପୁରକୁ ସଂଯୋଗ କରୁଥିବା ରାସ୍ତାରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ସନ୍ୟାସୀ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁ, ଭାଗବତ ସେଠୀ ଏବଂ ସସ୍ମିତା ପାତ୍ର ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗଦେଇ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରଶ୍ନ ରଖିଥିଲେ ।

Leave A Reply

Your email address will not be published.