ନାରାୟଣ ପାଟଣା ମନ୍ଦିର ରୁ ବିଭିନ୍ନ ବହୁମୂଲ୍ୟ ଅଷ୍ଟ ଧାତୁ ମୂର୍ତ୍ତି ଚୋରୀ

3

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ): ଦୀର୍ଘ ଦିନର ନୀରବତା ପରେ ପୁଣି ମନ୍ଦିର ରୁ ଚୋରୀ। ଭଞ୍ଜନଗର ଅଞ୍ଚଳରେ ବିଭିନ୍ନ ମନ୍ଦିର ରୁ ବାରମ୍ବାର ଚୋରୀ ହେଉଛି ,କିନ୍ତୁ ପୋଲିସ ଆଖିରେ ଧୂଳି ଦେଇ ଥଣ୍ଡା କାକର ଅନ୍ଧାର ରାତିରେ ସୁଯୋଗ ନେଇ ଚୋରୀ କରୁଛି ଚୋର। ଭଞ୍ଜନଗର ବ୍ଲକ ତାରସିଙ୍ଗି ଥାନା ଅନ୍ତର୍ଗତ ନାରାୟଣ ପାଟଣା ଗ୍ରାମର ନାରାୟଣ ସ୍ଵାମୀ ଜୀଉ ଙ୍କ ମନ୍ଦିର ରେ କଳା କନା ବୁଲାଇଛନ୍ତି ଚୋର। ସୁଚନା ଯୋଗ୍ୟ ଭଞ୍ଜ ବଂଶୀୟ ରାଜା ନାରାୟଣ ଭଞ୍ଜ ଙ୍କ ଅମଳରେ ତଥା ୧୭୬୦ ମସିହାରେ ନିର୍ମାଣ ହୋଇଥିବା ମନ୍ଦିର ର ଦୁର୍ଲ୍ଲଭ ଅଷ୍ଟ ଧାତୁ ରେ ନିର୍ମିତ ଆଠ ଗୋଟି ଯଥା,ରାଧାକୃଷ୍ଣ ମୂର୍ତ୍ତି,ଅନନ୍ତ ଶୟନ ମୂର୍ତ୍ତି,ସଖି ମୂର୍ତ୍ତି ଙ୍କ ସମେତ ଅନ୍ୟ ପାର୍ଶ୍ଵ ଦେବା ଦେବୀଙ୍କ ମୂର୍ତ୍ତି ଚୋରୀ ହୋଇଛି। ଉକ୍ତ ନାରାୟଣ ସ୍ଵାମୀ ମନ୍ଦିର ଟି ଓଡ଼ିଶା ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ। ଆଜି ନଭେମ୍ବର ୧୫ ତାରିଖ ୨୦୨୫ ଶନିବାର ସକାଳୁ ସକାଳୁ ମନ୍ଦିର ପୂଜକ ଦ୍ୱାର ଫିଟାଇବା ସମୟରେ ମନ୍ଦିର ଦ୍ଵାର ଖୋଲାଥିବା ଦେଖି ଚୋରୀ ହୋଇଥିବା ଅନୁମାନ କରି ଗ୍ରାମ କମିଟି ସାହାଯ୍ୟରେ ପୋଲିସ୍ କୁ ସୂଚନା ଦେଇଥିଲେ। ଆଜି ଗ୍ରାମବାସୀ ପୋଲିସ କୁ ଖବର ଦେବା ପରେ ଭଞ୍ଜନଗର ଓ ତାରସିଙ୍ଗି ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି।ଚୋରୀ ହୋଇଥିବା ଦୁର୍ଲଭ ମୂର୍ତ୍ତି ଗୁଡିକ ର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ରୁ ଉର୍ଦ୍ଧ୍ବ ହେବ। ଆଜିର ଚୋରୀ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭକ୍ତ ଙ୍କ ମନ ମଧ୍ୟରେ ଗଭୀର ଆଘାତ ଲାଗିଛି। ଆଜି ମଧ୍ୟାହ୍ନ ସମୟରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଉପସ୍ଥିତ ହୋଇ ଚୋରି ଜିନିଷ ର ସନ୍ଧାନ ନିମିତ୍ତ ପ୍ରୟାସ କରାଯାଇଥବା ଦେଖାଯାଇଥିଲା। ଘଟଣା ସ୍ଥଳରେ ଏସ୍.ଡି.ପି.ଓ ଦୀପକ କୁମାର ମିଶ୍ର ଖବର ପାଇବା ସଙ୍ଗେ ସଙ୍ଗେ ଉପସ୍ଥିତ ହୋଇଯାଇ ତଦନ୍ତ ଆରମ୍ଭ କରିଦେଇଥିଲେ। ତାପରେ ପରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଓ କିଛି ପ୍ରଶାସନିକ ଅଧିକାରୀ ପହଞ୍ଚି ମନ୍ଦିର ଭିତର ବୁଲି ଦେଖିଥିଲେ।ଭଞ୍ଜନଗର ଅଞ୍ଚଳରେ, କୁଲାଡ଼ ବାଗଦେବୀ ମନ୍ଦିର ରେ ପୂର୍ବରୁ ଚୋରୀ ଘଟଣା ର ପୋଲିସ ପର୍ଦାଫାସ କରିଥିବା ବେଳେ ବର୍ତ୍ତମାନ ଏହି ଘଟଣା ର ପର୍ଦାଫାଶ ଖୁବ୍ ଶୀଘ୍ର ହୋଇଯିବ ବୋଲି ସ୍ଥାନୀୟ ଜନସାଧାରଣଙ୍କ ଆଶା ଓ ବିଶ୍ୱାସ।

Leave A Reply

Your email address will not be published.