ଫସଲ ଜଗିବାକୁ ଯାଇ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ

4
  • ଦୁଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ବନ ଅଧିକାରୀଙ୍କ ପ୍ରତିଶ୍ରୁତି

  • ୪୫ ଦିନ ଭିତରେ ରାସ୍ତାର ଦୁଇପାର୍ଶ୍ବ ସଫେଇ ଓ ଉନ୍ନତମାନର କରାନଗଲେ ଆନ୍ଦୋଳନର ଚେତାବନୀ

 ସମ୍ବଲପୁର(ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ବଡରମା ରେଞ୍ଜ ଅଧିନ କୁତବ ଗ୍ରାମର ଦୁଇଜଣ ଗ୍ରାମବାସୀଙ୍କୁ ଗତକାଲି ରାତିରେ ହାତୀ ଦଳି ମାରି ଦେଇଥିବା ଜଣା ପଡିଛି । ସୂଚନାନୁଯାଇ ଗତ ସୋମବାର ରାତି ପ୍ରାୟ ସାଢେ଼ ୮ଟା ବେଳେ ଗ୍ରାମର ପ୍ରଦୀପ ଘଟୁଆଳ ଏବଂ ଗଙ୍ଗାରାମ ପଟେଲ ନିଜ ନିଜ ଚାଷ ଜମିକୁ ବନ୍ୟ ଜନ୍ତୁଙ୍କ କବଳରୁ ଜଗିବାକୁ ଯାଇଥିଲେ । ମାତ୍ର ନିଜ ଜମିରେ ପହଞ୍ଚିବା ପୂର୍ବରୁ ହଠାତ୍ ହାତୀ ଆକ୍ରମଣର ଶିକାର ହୋଇ ଉଭୟଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ମଙ୍ଗଳବାର ସକାଳେ ଚାଷଜମିରେ ଓ ଜମିପାର୍ଶ୍ବ ରାସ୍ତା କଡରେ ଦୁଇଜଣ ବ୍ୟକ୍ତିଙ୍କ ପୃଥକ୍ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗ ଓ ଜମନକିରା ଥାନାକୁ ଖବର ଦେଇଥିଲେ । ଖବର ପାଇ ବଡ଼ରମା ରେଞ୍ଜର ଗିରିଧାରୀ ପଧାନ, ଜମନକିରା ଥାନା ଆଇଆଇସି ପଦ୍ମାଳୟା ସାହୁ, ତହସିଲଦାର ପ୍ରବୀଣା ବିଲୁଙ୍ଗ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଦୁଇ ମୃତକଙ୍କ ପରିଚୟ ମିଳିବା ପରେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକଙ୍କୁ ବହୁ କଷ୍ଟରେ ବୁଝାସୁଝା କରି ଦୁଇ ମୃତକଙ୍କ ବ୍ୟବଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ପଠାଇଥିଲେ। ତହସିଲଦାର, ଥାନା ଆଇଆଇସିଙ୍କ ଉପସ୍ଥିତିରେ ଦୁଇ ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବା ସହିତ ସାତ ଦିନ ମଧ୍ୟରେ ଉଭୟ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ରେଞ୍ଜର ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଥିଲେ । ଜଙ୍ଗଲରେ ହାତୀ ଗତିବିଧି ପ୍ରତି ବନ ବିଭାଗ ଲକ୍ଷ୍ୟ ରଖୁଥିଲେ ମଧ୍ୟ ଜନ ସାଧାରଣଙ୍କୁ ସତର୍କ କରୁନଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି କୁତବ ଗ୍ରାମକୁ ଭଲ ରାସ୍ତା ଏବଂ ବନ ବିଭାଗ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ମୃତକ ପରିବାରଙ୍କୁ ବନ ବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ, କୁତବ ଗ୍ରାମକୁ ବସ ଚଳାଚଳ, ଗ୍ରାମରେ ଷ୍ଟ୍ରୀଟ ଲାଇଟ, ଗ୍ରାମକୁ କଂକ୍ରିଟ ରାସ୍ତା ସହିତ ଅନ୍ୟ ସରକାରୀ ସାହାଯ୍ୟ ଯଥାଶୀଘ୍ର ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି । ଆଗାମୀ ୪୫ ଦିନରେ ଏହାର ସମାଧାନ କରାନଗଲେ ବଡରମା ରେଞ୍ଜ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.