ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ସହିତ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା,

4
  • ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଧାରଣା,

  • ପ୍ରଧାନ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଛାତ୍ରଛାତ୍ରୀ କାନ୍ଦି କାନ୍ଦି ନୟାନ୍ତ,

  • ୪୮ଘଣ୍ଟା ମଧ୍ୟରେ ପୁନଃ ନିଯୁକ୍ତି ନେଇ ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ,

ଓଡ଼ଗାଁ,୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଓଡ଼ଗାଁ – ବାହାଡ଼ାଝୋଲା ରାସ୍ତାର ମଶାବାରି ଠାରେ ଅବସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ନିଲମ୍ବନ ଆଦେଶର ପ୍ରତ୍ୟାହାର ଦାବିକରି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଫାଟକରେ ତାଲା ପକାଇ ସୋମବାର ସକାଳ ୧୦ ସମୟରେ ମିଳିତ ଭାବେ ଧାରଣାରେ ବସିଥିଲେ । ଘଟଣାର ପ୍ରାୟ ୨ ଘଣ୍ଟା ପରେ ଖବରପାଇ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ସିଆରସିସି ନରେଶ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଧାରଣା ପ୍ରତ୍ୟାହୃତ ପାଇଁ ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିଲେ । ତେବେ କୌଣସି ସମାଧାନର ପ୍ରତିଶୃତି ବିନା ସେମାନେ ଧାରଣାରୁ ଉଠିବେନାହିଁ ବୋଲି କହିଥିଲେ । ଅନ୍ୟପକ୍ଷରେ ଛାତ୍ରଛାତ୍ରୀ ମାନେ ଭୋ ଭୋ କାନ୍ଦି କାନ୍ଦି ଭାବସାରଙ୍କୁ ଫେରାଇ ଆଣିବାକୁ ଏବିଓଙ୍କ ଠାରେ ଅଳି କରିଥିଲେ । ବ୍ଳକ ଶିକ୍ଷା ଅଧିକାରୀ ପିଣ୍ଟୁ ସାହୁ ଧାରଣା ସ୍ଥଳର ସମସ୍ତ ଘଟଣା ସମ୍ପର୍କରେ ଅବଗତ ହେବା ପରେ ୪୮ ଘଣ୍ଟା ମଧ୍ୟରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ପୁନଃ ନିଯୁକ୍ତି ନିମନ୍ତେ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ସାହୁଙ୍କ ମାଧ୍ୟମରେ ଲିଖିତ ପ୍ରତିଶ୍ରୁତି ରଖିଥିଲେ । ତେବେ ନିର୍ଦ୍ଧାରିତ ସମୟରେ ଦାବି ପୂରଣ ନହେଲେ ପୁଣି ଥରେ ଧାରଣା ଦିଆଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ସୂଚନା ଥାଉକି ଦୀପାବଳି ଅମାବାସ୍ୟା ସନ୍ଧ୍ୟାରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ସହିତ ଛାତ୍ର ଛାତ୍ରୀ, ସ୍କୁଲ କମିଟି ସଦସ୍ୟ ଏବଂ ଅଭିଭାବକ ମାନେ ମିଶି ପ୍ରଦୀପ ପ୍ରଜ୍ବଳନ ଉତ୍ସବ ପାଳନ କରିଥିଲେ । ଉକ୍ତ ଘଟଣାକୁ ନେଇ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.