ଅସ୍ତ୍ରଶସ୍ତ୍ର ସହ ବିଭିନ୍ନ ଜାଗାରୁ ୧୩୮ ମାଓବାଦୀଙ୍କ ଆତ୍ମସମର୍ପଣ

4

ମାଲକାନଗିରି, ୧୬/୧୦ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ସଙ୍ଗଠନ ଦିନକୁ ଦିନ ଭୁଶୁଡିବାରେ ଲାଗିଛି। ଛତିଶଗଡ଼ରେ ମାଓବାଦୀ ଦମନ ଅଭିଯାନ ଜୋର୍‌ଦାର ହେବାପରେ ଏନ୍‌କାଉଣ୍ଟରରେ ବହୁ ଟପ୍ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି। ମୁଖ୍ୟ ନେତାଙ୍କ ମୃତ୍ୟୁ ପରେ ମାଓବାଦୀ ସଙ୍ଗଠନକୁ ସକ୍ରିୟ ଭାବେ ଚଲାଇବା ନିମନ୍ତେ ଟପ୍ କ୍ୟାଡରଙ୍କ ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଗତ ୬ ମାସ ମଧ୍ୟରେ ବହୁ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଛତିଶଗଡ଼ର ସୁକ୍‌ମା,କାଙ୍କେର ଓ ମହାରାଷ୍ଟ୍ରର ଗଡଚିରୋଲି ଜିଲାରୁ ମୋଟ ୧୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗଡଚିରୋଲିରେ ୬୧ଜଣ, ସୁକ୍‌ମାରେ ୨୭ ଜଣ ଓ କାଙ୍କେରରେ ୫୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ବହୁ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ନାମରେ ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ସେମାନେ ଅସ୍ତ୍ରଶସ୍ତ୍ର ସହ ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ନିକଟରେ ଏଲଏମ୍ ଜି, ଏକେ ୪୭, ଇନ୍‌ସାସ ରାଇଫଲକୁ ସମର୍ପିତ କରିଥିଲେ । ସୁକ୍‌ମାରେ ଆତ୍ମସମର୍ପଣ କରିଥିବା ୨୭ମାଓବାଦୀଙ୍କ ମଧ୍ୟରୁ ୫୦ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ଥିବା ପୋଲିସ ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ମାଓ ସଂଗଠନ ସମ୍ପୂର୍ଣ୍ଣ ଭାବେ ଭୁଶୁଡିଯାଇଥିବାବେଳେ ସଂଗଠନର ଟପ୍ କ୍ୟାଡର ମାଓବାଦୀମାନେ ଇତିମଧ୍ୟରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟପକ୍ଷରେ ସଂଗଠନରେ ପୂର୍ବ ଆଦର୍ଶ ନଥିବା, ଛତିଶଗଡ ସରକାରଙ୍କ ଦ୍ବାରା ଉନ୍ନୟନମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଓ ସମାଜର ମୁଖ୍ୟସ୍ରୋତରେ ରହିବା ନିମନ୍ତେ ଏହି ନିଷ୍ପତ୍ତି ନେଇଥିବା ଆତ୍ମସମର୍ପଣରେ ସାମିଲ ହୋଇଥିବା ମାଓବାଦୀ ମାନେ ପ୍ରକାଶ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ ସମସ୍ତଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.