ଓଡ଼ଗାଁ,୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରି ଗ୍ରାମର ରାଧାମାଧବ ନୋଡାଲ ପ୍ରାଇମେରୀ ସ୍କୁଲ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସହଯାତ୍ରୀଙ୍କର ହାତ ଭାଙ୍ଗିବା ସହିତ ଗାଲ ମାଡ଼ ହୋଇ ମାଂସ ଖସିଯାଇଛି । ଏବଂ ଅନ୍ୟ ବାଇକ୍ ଚାଳକ ଜଣକ ମଧ୍ୟ ଗୁରୁତର ଥିବା ଜଣାପଡିଛି । ମୃତକ ଜଣକ ହେଲେ ବେରୁହାଁବାରୀ ଗ୍ରାମ ଦେଉଳ ସାହିର ସ୍ବର୍ଗତ ସୋମନାଥ ସାହୁଙ୍କ ପୁଅ ଶରତ କୁମାର ସାହୁ(୪୬) ଏବଂ ବାଇକରେ ଥିବା ସହଯାତ୍ରୀ ଗୁରୁତର ବ୍ୟକ୍ତି ଜଣକ ହେଲେ ସେହି ସାହିର ଶରତ ଚନ୍ଦ୍ର ସାହୁ (୬୩) । ବେରୁହାଁବାରି ଗାଆଁରେ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଅନ୍ନପ୍ରସାଦ ସେବନ ପାଇଁ ଶରତ କୁମାର ନିଜ ବାଇକରେ ଶରତ ଚନ୍ଦ୍ରଙ୍କୁ ବସାଇ ସକାଳ ୧୧ ଘଣ୍ଟା ସମୟରେ ଗାଁ ସ୍କୁଲର ପିଲାମାନଙ୍କୁ ଡାକିବା ପାଇଁ ଯାଉଥିଲେ । ସ୍କୁଲ ନିକଟରେ ପହଞ୍ଚିବା ପୂର୍ବରୁ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହିତ ଶରତ କୁମାରଙ୍କ ବାଇକଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ଶରତ ବାଇକରୁ ଛିଟିକି ପଡ଼ିଥିବା ବେଳେ ଘଟଣା ସ୍ଥଳରେ ଶରତ କୁମାରଙ୍କ ମୃତ୍ୟୁ ଘଟିଥିଲା । ଏବଂ ଶରତ ଚନ୍ଦ୍ର ଗୁରୁତର ଆହତ ହୋଇଥିଲେ । ଦୁହିଁଙ୍କୁ ସଂଗେସଂଗେ ବାହାଡାଝୋଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତର ଶରତ କୁମାରଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତରଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଖବରପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଓଡି୨୫ଆର୩୯୭୭ ଏବଂ ଓଡି୨୫୦୬୩୪ ଦୁଇ ବାଇକକୁ ଜବତ୍ କରିବା ସହିତ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ମୃତ ଶରତ କୁମାରଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post