ପେଟୁପାଲିରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଉତ୍ସବ ମାହୋଲ:ଭକ୍ତି, ସଂସ୍କୃତି ଓ ମନୋରଞ୍ଜନର ଅଦ୍ଭୁତ ସମନ୍ୱୟ

3

ସୋହେଲା :-ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମ ଗଜଲକ୍ଷ୍ମୀ ପୂଜା ୩୪ ବର୍ଷର ଐତିହ୍ୟ ନେଇ ଚାଲୁଥିବା ଏହି ପ୍ରସିଦ୍ଧ ପୂଜା ଗାଁର ସାମୁଦାୟିକ ଏକତା, ଭକ୍ତିଭାବ ଓ ସଂସ୍କୃତିକ ଐଶ୍ୱର୍ଯ୍ୟର ପ୍ରତୀକ ହୋଇଉଠିଛି।
ମା’ ଗଜଲକ୍ଷ୍ମୀଙ୍କ ପାଇଁ ସଜାଯାଇଥିବା ଆକର୍ଷଣୀୟ ମଞ୍ଚ ଏବଂ ଆଲୋକିତ ମଣ୍ଡପ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କୁ ଆକର୍ଷିତ କରୁଛି। ଗୌର ମେହେର ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ମେହେର ଏବର୍ଷ ପୂଜା କର୍ତ୍ତା ଦାୟିତ୍ୱ ଗ୍ରହଣ କରିଛନ୍ତି। ପଣ୍ଡିତ ଟିକେଶ୍ଵର ମହାପାତ୍ରଙ୍କ ନେତୃତ୍ୱରେ ବହୁ ପଣ୍ଡିତ ମିଶି ପାଞ୍ଚଦିନିଆ ଉତ୍ସବରେ ସମସ୍ତ ପୂଜା-ଅର୍ଚ୍ଚନା କାର୍ଯ୍ୟକ୍ରମ ସଂପାଦନ କରୁଛନ୍ତି। ନୀତିନିଷ୍ଠା, ମନୋକାମନା ଓ ଭକ୍ତିର ସହିତ ମା’ଙ୍କ ପୂଜା ହେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି।
ପ୍ରତ୍ୟେକ ସନ୍ଧ୍ୟାରେ ମଞ୍ଚରେ ହେଉଥିବା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଉତ୍ସବର ରାତିକୁ ଜୀବନ୍ତ କରିଦେଉଛି। ବିଶେଷତଃ “କଳାସୁର ଦରବାର” ନାଟକ ଅଞ୍ଚଳବାସୀ ମଧ୍ୟରେ ଅତ୍ୟନ୍ତ ଆକର୍ଷଣ ସୃଷ୍ଟି କରିଛି। ନାଟକରେ ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ସୁନାନୀ, ସହିତ ଅନ୍ୟ ନୂତନ ମୁହଁମାନେ ନିଖୁଣ ଅଭିନୟ ପ୍ରଦର୍ଶନ କରି ସମାଜିକ ସନ୍ଦେଶ ଦେଉଛନ୍ତି।
ସୋହେଲା ଅଞ୍ଚଳର ବିଭିନ୍ନ ଗ୍ରାମ ଓ ପଡ଼ୋଶୀ ଗ୍ରାମରୁ ଆସୁଥିବା ଦର୍ଶକମାନେ ପୂଜା ମଞ୍ଚ ଓ ମେଳା ପ୍ରାଙ୍ଗଣରେ ଗହଳି ହେଉଛନ୍ତି। ମିନା ବଜାର, ଖାଦ୍ୟ ପସରା, ମେଳା ଖେଳ ଓ ଆଲୋକ ସଜାଣି ଦୃଶ୍ୟ ଗାଁକୁ ଆଲୋକିତ କରିଦେଇଛି। ସନ୍ଧ୍ୟା ସମୟରେ ଗଜଲକ୍ଷ୍ମୀ ମଣ୍ଡପ ଆସପାସର ହଜାର ହଜାର ଲୋକଙ୍କ ଉପସ୍ଥିତି ଦେଖି ମନେ ହେଉଛି ମା’ଙ୍କ ଅନୁଗ୍ରହରେ ଗାଁ ଆନନ୍ଦମୟ ହୋଇଉଠିଛି।
ପୂଜା ଉପଲକ୍ଷେ ଗ୍ରାମରେ ସାମାଜିକ ସହଯୋଗର ଅଦ୍ଭୁତ ଉଦାହରଣ ଦେଖାଯାଉଛି। ସମସ୍ତ ବର୍ଗର ଲୋକ ମିଶି ଏହି ଉତ୍ସବକୁ ସଫଳ କରୁଛନ୍ତି। ପୂଜା କମିଟି ସଭାପତି ସୁଶାନ୍ତ ଦିଶ୍ରୀ, ଉପସଭାପତି କୁଞ୍ଜବିହାରୀ ପଧାନ, ସମ୍ପାଦକ ମିନିକେତନ ବାରିକ, ସହ ସମ୍ପାଦକ ଦୁର୍ଗାମାଧବ ସେନାପତି, କୋଷାଧ୍ୟକ୍ଷ ମିତ୍ରଭାନୁ ବାରିକ, ସହ କୋଷାଧ୍ୟକ୍ଷ କ୍ଷୀରେଶ୍ଵର ଚୌହାନ ଓ ଅନ୍ୟ ସଦସ୍ୟମାନେ ଦିନରାତି ଉତ୍ସବ ପରିଚାଳନାରେ ନିଯୁକ୍ତ ରହିଛନ୍ତି।
ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦାନ କରି ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ସେ ଗାଁର ଯୁବକମାନଙ୍କ ଏକତା ଓ ସଂଘବଦ୍ଧ ପରିଶ୍ରମକୁ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଏହି ପୂଜାକୁ ଅଞ୍ଚଳର ପ୍ରମୁଖ ଧାର୍ମିକ ଆକର୍ଷଣ ଭାବେ ଗଢ଼ି ତୋଳିବା ପାଇଁ ଆଶୀର୍ବାଦ ଦେଇଥିଲେ।
ପେଟୁପାଲି ଗଜଲକ୍ଷ୍ମୀ ପୂଜା ଏବେ କେବଳ ଧାର୍ମିକ ଉତ୍ସବ ନୁହେଁ, ଗ୍ରାମର ସାମୁଦାୟିକ ସମ୍ମିଳନ, ସଂସ୍କୃତି ଓ ମାନବିକତାର ପର୍ବ ଭାବେ ଅଭିବ୍ୟକ୍ତ ହେଉଛି। ମହିଳା ଓ ଯୁବ ମଣ୍ଡଳୀମାନେ ମିଶି ପରିସ୍କାର ପରିବେଶ ଓ ଶାନ୍ତିପୂର୍ଣ୍ଣ ପୂଜା ଅନୁଷ୍ଠାନ ପାଇଁ ସଚେତନତା କାମ କରୁଛନ୍ତି। ଗାଁର ଯୁବକ ସଂଘ ପକ୍ଷରୁ ମଧ୍ୟ ସେବା କେନ୍ଦ୍ର ଖୋଲାଯାଇଛି ଯେଉଁଠି ଭକ୍ତମାନେ ଜଳପାନ ଓ ସହାୟତା ସୁବିଧା ପାଉଛନ୍ତି।
ଏହି ପୂଜା ମାଧ୍ୟମରେ ପେଟୁପାଲି ଗ୍ରାମ ଆଉଥରେ ପ୍ରମାଣ କରିଛି ଯେ ଗ୍ରାମୀଣ ଓଡ଼ିଶାର ସଂସ୍କୃତି ଏବଂ ଆସ୍ଥା ଆଜିବି ଅଜସ୍ର ଓ ଜୀବନ୍ତ। ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦରେ ସମସ୍ତ ଗ୍ରାମ ଆନନ୍ଦ, ଶାନ୍ତି ଓ ସମୃଦ୍ଧିର ସନ୍ଦେଶ ନେଇ ଉତ୍ସବମୁଖର ହୋଇଉଠିଛି।

Leave A Reply

Your email address will not be published.