ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଆରମ୍ଭ,
ଓଡ଼ଗାଁ,୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଫିଲିମ ହଲଛକ ବାହାଡ଼ା ପିଠା ଠିପି ଖୋଲା ବିଅର ବାର ଏବଂ ସେହି ଛକର ଭଞ୍ଜନଗର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ଏବଂ ରୋହିବାଙ୍କ ଠାରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ଗୋଟିଏ ରାତିରେ ୩ ଗୋଟି ମଦଦୋକାନରୁ ଏକକାଳୀନ ଭାବେ ସମାନ ଢାଞ୍ଚାରେ ୬ଲକ୍ଷ ୫୦ ହଜାର ଟଙ୍କା ଚୋରି ଘଟଣା ଏକ ପୂର୍ବ ପରି କଳ୍ପିତ ଯୋଜନା ପରି ମନେହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ସମ୍ପୃକ୍ତିକୁ ଏଡାଇଦିଆଯାଇ ନପାରେ । ଅଭିଯୋଗ ପାଇବା ପରେ ଓଡ଼ଗାଁ ପୋଲିସ ୩ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜର ସହଯୋଗରେ ପୋଲିସ ଖୁବଶୀଘ୍ର ଚୋର ମାନଙ୍କୁ ଗିରଫ କରିବାରେ ସଫଳ ହେବବୋଲି ଆଶା କରାଯାଉଛି । ଏଣୁ ସିନେମା ହଲଛକ ବାହାଡ଼ାଖୋଲା ରାସ୍ତା ପାର୍ଶ୍ବରେ ଥିବା ଶ୍ୟାମ ରେଷ୍ଟୁରାଣ୍ଟ ଓ (ଠିପି ଖୋଲା ମଦ ଦୋକାନ) ବିଅର ବାର ସହିତ ଛକର ଅନ୍ୟ ପାର୍ଶ୍ବ ରାଜ୍ୟ ସଡକ ପଥ କଡ଼ରେ ଥିବା ଠିପି ବନ୍ଦ ବିଦେଶୀ ମଦଦୋକାନ ସହିତ ରୋହିବାଙ୍କ ଠାରେ ଥିବା ବିଦେଶୀ ମଦଦୋକାନରୁ ରାତି ପ୍ରାୟ ୩ ସମୟରେ ଚୋରି ହୋଇଥିଲା । ବାହାଡ଼ା ପିଠା ମଦଦୋକାନ ସିସିଟିଭି ଫୁଟେଜ ଅନୁସାରେ ଗୋଟିଏ ବାଇକରେ ୩ ଜଣ ଯୁବକ ପହଁଞ୍ଚି ପ୍ରଥମେ ସିସିଟିଭି କ୍ୟାମେରାର ମୋଡ଼ ବଦଳାଇଥିଲେ । ତେବେ ଏହି ସମୟରେ କ୍ୟାମେରାରେ ସେମାନଙ୍କ ଫଟୋ ସ୍ପଷ୍ଟ ଭାବେ କଏଦ୍ ହୋଇଥିଲା । ପରେ ଗୋଟିଏ ଜଗ ରଡ଼ ସହାୟତାରେ ତାଲାକୁ ଭାଙ୍ଗିଥିବା ବେଳେ ସଟରର ଗେଡା ମଧ୍ୟ ଉପୁଡ଼ି ପଡିଥିଲା । ଏବଂ ଦୋକାନରେ ମହଜୁଦ୍ ଥିବା କଳା ପଲିଥିନରେ ସେମାନେ କ୍ୟାସକୁ ପୁରାଇ ନେଇ ଚାଲିଯାଇଥିଲେ । ଅନୁ ରୁପ ଭାବେ ଅନ୍ୟ ଦୁଇଗୋଟି ମଦ ଦୋକାନରୁ ଚୋରି ହୋଇଥିଲା । ତେବେ ବାହାଡ଼ାପିଠା ମଦଦୋକାନରୁ ୧ ଲକ୍ଷ ୫୦ ହଜାର, ଛକର ଅପର ପାର୍ଶ୍ଵ ରାଜ୍ୟ ରାଜପଥ କଡରେ ଥିବା ମଦଦୋକାନରୁ ୩ ଲକ୍ଷ ୨୩ ହଜାର ଟଙ୍କା ଏବଂ ରୋହିବାଙ୍କ ମଦ ଦୋକାନରୁ ୧ ଲକ୍ଷ ୭୦ ହଜାର ଟଙ୍କା ସହିତ ୩୫ ହଜାର ଟଙ୍କାର ବିଦେଶୀ ମଦ ଚୋରି ନେଇଥିବା ଓଡ଼ଗାଁ ଥାନାରେ ଦୋକାନ ମ୍ୟାନେଜର ମାନେ ଅଭିଯୋଗ କରିଛନ୍ତି ।