ବେଆଇନ୍ କ୍ଲିନିକ୍ : ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଦାଗ

0 2

ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ଗାଁ ଗାଁରେ ବେଆଇନ୍ କ୍ଲିନିକ୍‌ମାନଙ୍କର ବିକାଶ ଆଜି ସାଧାରଣ ଗରିବ ଲୋକଙ୍କପାଇଁ ଭୟଙ୍କର ସଙ୍କେତ ହୋଇପଡିଛି। ଏପରି ଏକ ବିପଦଜନକ କ୍ଲିନିକ୍ ପାଟଣାଗଡ଼–ପଦ୍ମପୁର୍ ମୁଖ୍ୟ ରାସ୍ତା ଗଉଡ଼ପାଲିରେ ଅବିରତ ଚାଲୁଥିବାର ଦେଖି ଲୋକମନଙ୍କ ମନରେ ପ୍ରଶ୍ନ ଉଠାଇଛି – “ସ୍ୱାସ୍ଥ୍ୟ ବିଭାଗର ନଜର କାହିଁକି ପଡ଼ୁନାହିଁ?” ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ସ୍ୱାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ କରୁଛି, ସଚେତନତା କାର୍ଯ୍ୟକ୍ରମ ହେଉଛି, ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଟିମ୍‌ଗୁଡ଼ିକୁ ପଠାଯାଉଛି। କିନ୍ତୁ ଏହା ସତ୍ତ୍ୱେ, ଗାଁରେ ବାବୁମାନେ ଔଷଧ ଦୋକାନ ଭିତରୁ କ୍ଲିନିକ୍ ଚଳାଇ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳ କରୁଛନ୍ତି। ଏହା କେବଳ ଆଇନର ଉଲ୍ଲଂଘନ ନୁହେଁ, ଏହା ମାନବତା ବିରୋଧୀ କାର୍ଯ୍ୟ।
ଅଧିକାରୀମାନେ ପ୍ରତିଦିନ ଏହି ରାସ୍ତାରୁ ଯାତାୟାତ କରୁଥିଲେ ସୁଦ୍ଧା , ଏପରି କ୍ଲିନିକ୍‌କୁ ଅଣଦେଖା କରିବା ପ୍ରଶାସନୀୟ ଅବହେଳାର ସ୍ପଷ୍ଟ ପ୍ରମାଣ। ଏଥିରେ କେବଳ ସ୍ଥାନୀୟ ପ୍ରଶାସନ ନୁହେଁ, ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉତ୍ତରଦାୟିତ୍ୱପଣା ପ୍ରଶ୍ନଚିହ୍ନରେ। ଯଦି ଏପରି ବେଆଇନ୍ କ୍ଲିନିକ୍‌ମାନଙ୍କୁ ସମୟରେ ବନ୍ଦ କରାଯାଏନାହିଁ, ତେବେ ଗରିବ ଓ ନିରୀହ ଜନତାଙ୍କ ଜୀବନ ସବୁବେଳେ ବିପଦରେ ପଡ଼ିବ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନେଇ କଡା ରୁ କଡା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ,ଏବଂ ସ୍ୱାସ୍ଥ୍ୟ ସେବାରେ ଜନମୁଖୀ ଆସ୍ଥା ପୁନସ୍ଥାପନ କରିବା ଜରୁରୀ ବୋଲି ଲୋକେ ଦାବି କରୁଛନ୍ତି। ବେଆଇନ୍ କ୍ଲିନିକ୍‌ମାନଙ୍କୁ ଅଣଦେଖା କଲେ, ସେଥିରୁ ବଡ଼ ସାମାଜିକ ଅସୁବିଧା ଓ ଜନସ୍ୱାସ୍ଥ୍ୟରେ ସଙ୍କଟ ସୃଷ୍ଟି ହେବ, ଏହାକୁ ବନ୍ଦ କରିବା ପ୍ରଶାସନର ନୈତିକ ଓ ଆଇନଗତ ଦାୟିତ୍ୱ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.