ରାୟଗଡ଼ା ଜିଲାରେ ୧୦ ଟି ବାଲି ଉତ୍ସ ବନ୍ଦ ଅଛି,ନୂଆରେ ୮ଟି ଟେଣ୍ଡର ହେବ

3

ବିଧାନ ସଭାରେ ଗୁଣପୁର ବିଧାୟକଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀଙ୍କ ଉତ୍ତର

 ବକେୟା ଆଦାୟ କରିବାରେ ରାୟଗଡା ଜିଲ୍ଲା ପଛରେ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡା ଜିଲ୍ଲାରେ ମୋଟ ୩୫ ଟି ବାଲି ଉତ୍ସ ମଧ୍ୟରୁ ବିଭିନ୍ନ କାରଣରୁ ୧୦ ଟି ବନ୍ଦ ରହିଛି। ନୂଆରେ ଆଉ ୮ ଟି ବାଲି ଉତ୍ସର ଟେଣ୍ଡର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟ ବିଧାନସଭାରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ଅଣ ତାରକା ପ୍ରଶ୍ନରେ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଭିବୁତ୍ତି ଭୂଷଣ ଜେନା ଏହିଭଳି ଉତ୍ତର ରଖିଛନ୍ତି। ଜିଲ୍ଲା ସର୍ଭେ ରିପୋର୍ଟ (ଡିଏସଆର) ଅନୁମୋଦନ ହେଲା ପରେ ବର୍ତ୍ତମାନ ରାୟଗଡା ଜିଲ୍ଲା ରେ ମୋଟ ୩୫ଟି ବାଲି ଘାଟ ଅଛି । ତା ମଧ୍ୟରୁ ୧୭ ଗୋଟି ବାଲି ଘାଟ ଚାଲୁ ଅଛି । ଚାଲୁ ନ ଥିବା ୧୦ଟି ବାଲି ଘାଟକୁ ବର୍ଷା ଋତୁ ପରେ ନିଲାମ କରାଯିବା ପାଇଁ ପଦକ୍ଷେପ ନିଆ ଯାଉଅଛି । ନୂତନ ୮ ଟି ବାଲି ଘାଟକୁ ଚିହ୍ନଟ କରା ଯାଇ ନୂଆ ଡିଏସଆର ରେ ଅନ୍ତର୍ଭୁକ୍ତ କରାଯାଇଅଛି । ବର୍ତ୍ତମାନ ଏହି ନୂଆ ବାଲିଘାଟକୁ ଡିଜିପିଏସ ଦ୍ବାରା ସୀମା ନିର୍ଦ୍ଧାରଣ କରିବା ପାଇଁ ପଦକ୍ଷେପ ନିଆ ଯାଉଅଛି । ସର୍ଭେ ପରେ ଉକ୍ତ ବାଲି ଘାଟ ସବୁ ଇ-ନିଲାମ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ସେହିପରି ବିଗତ ତିନି ଆର୍ଥିକ ବର୍ଷରେ ବାଲି ଉତ୍ସ ଓ ପଥର କୁଆଁରୀରୁ ୬୫୫୩୦୨୫୧ ଟଙ୍କା ଆଦାୟ ହୋଇଛି। ତେବେ ଜିଲ୍ଲାରେ ବକେୟା ଥିବା ୬ ଟି ବାଲି ଉତ୍ସରୁ ମୋଟ ୨୨୯୩୩୯୬୦ ଟଙ୍କା ରାଜସ୍ବ ଆଦାୟ ହେବାର ଅଛି। ଖିଲାପ କାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ରାୟଗଡା, ଗୁଣପୁର(ତୁରକାନିଗୁଡା), ରାମନାଗୁଡା ବାଲି ଉତ୍ସର ନିଲାମଧାରୀଙ୍କୁ ବକେୟା ସୁଝିବା ପାଇଁ ନୋଟିସ ଜାରି କରାଯାଇଥିବା ବେଳେ ରାମନାଗୁଡା, ଗୁଡାରୀ ବାଲି ଉତ୍ସକୁ ରଦ୍ଧ କରାଯାଇ ସେମାନଙ୍କ ନାମରେ ମକଦମା ଦାୟର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ଜେନା ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ତେବେ ବିଧାନସଭାରେ ଉପସ୍ଥାପନ କରିବା ତଥ୍ୟ ଏବଂ ବାସ୍ତବ ବକେୟା ବିବରଣୀ ମଧ୍ୟରେ ତାଳମେଳ ରହୁ ନଥିବା ଅଭିଯୋଗ ହେଉଛି। ସେହିପରି ରାୟଗଡା ଜିଲ୍ଲା ଖଣି ବିଭାଗ ଅଧିକାରୀ ବକେୟା ଖିଲାପକାରୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ ରାଜସ୍ୱ ଆଦାୟ ହେବାରେ ଅନ୍ତରାୟ ସୃଷ୍ଟି ହୋଇଥିବା ଜଣାପଡିଛି।

 

Leave A Reply

Your email address will not be published.