ଜଗତସିଂହପୁର, ତା୧୩.୦୯.୨୫ /ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ମହିଳା ଓ ଶିଶୁ ବିକାଶ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ କିଶୋର ନ୍ୟାୟ ଅଧିନିୟମ (୨୦୧୫), ଯୌନ ଶୋଷଣ ରୁ ଶିଶୁ ମାନଙ୍କ ସୁରକ୍ଷା ଅଧିନିୟମ ୨୦୧୨ ସମ୍ପର୍କରେ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହିକାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କିଶୋର/କିଶୋରୀ ଙ୍କର ଉନ୍ନତି ତଥା ସେମାନଙ୍କୁ ଅପରାଧିକ ମନୋବୃତ୍ତିରୁ ନିବୃତ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ମାନଙ୍କୁ ଉପଦେଶ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଉପସ୍ଥିତ ରହି ପୋଲିସ୍ ତଥା ପ୍ରଶାସନ ର ମିଳିତ ସହଯୋଗ ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ପାଇକରାୟ କିଶୋର ନ୍ୟାୟ ଆଇନ ( କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ ଚିଲ୍ଡରେନ୍ ଆଇନ୍) ୨୦୧୫, ସ୍ବତନ୍ତ୍ର କିଶୋର ନ୍ୟାୟ ପରିଷଦର କର୍ମକର୍ତ୍ତା ମାନଙ୍କର ଦାୟିତ୍ଵ, କିଶୋର ନ୍ୟାୟ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ , ପୋକସୋ ଆଇନ୍ ୨୦୧୨, ଏବଂ ଓଡ଼ିଶା ଭିକ୍ଟିମ କମ୍ପେନ୍ସେଶନ୍ ଯୋଜନା ୨୦୧୮ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ୧୮ ବର୍ଷରୁ କମ୍ ଆଇନ୍ ସହ ଦ୍ଵନ୍ଦରେ ଥିବା ପିଲାମାନଙ୍କ କ୍ଷେତ୍ରରେ ବେଷ୍ଟ ଇଣ୍ଟରେଷ୍ଟ ଅଫ ଚାଇଲ୍ଡ ବା କିଶୋର ମାନଙ୍କର ସମୂହ ଉନ୍ନତି କୁ ପ୍ରାଧାନ୍ୟ ଦେଇ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ଏବଂ ସେମାନଙ୍କର ମାନସିକ ସ୍ଥିତିକୁ ଦୃଷ୍ଟିରେ ରଖି ପୀଡ଼ିତ ବା ପୀଡ଼ିତା ଙ୍କର ପରିଚୟ ମଧ୍ୟ ଗୋପନ ରଖାଯିବା ଉଚିତ୍ ବୋଲି ସେ କହିଥିଲେ। ଏହାପରେ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସମାହିତ ଭାବେ ପ୍ରଦାନ କରିଥିଲେ ଶ୍ରୀ ପାଇକରାୟ ।ଏହି ଆଲୋଚନାତ୍ମକ କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,କିଶୋର ନ୍ୟାୟ ପରିଷଦର ସଦସ୍ୟ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ମାନେ,ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶିଶୁ ମଙ୍ଗଳ ଅଧିକାରୀ, ସ୍ବତନ୍ତ୍ର ପୋଲିସ ୟୁନିଟ ର କର୍ମକର୍ତ୍ତା, ସମସ୍ତ ଥାନାର SJPU ସଦସ୍ୟ, ପାରା ଲିଗାଲ ଭଲ୍ୟୁଣ୍ଟିଅର ,ୱାନ ଷ୍ଟପ୍ ସେଣ୍ଟର, ଚାଇଲ୍ଡ ହେଲ୍ପ ଲାଇନ ର କର୍ମକର୍ତ୍ତା, ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଜଗଦିଶ ସାହୁ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଲିଗାଲ କମ୍ ପ୍ରୋବେସନ୍ ଅଫିସର ଜଗନ୍ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post