ଶୋଚନୀୟ ଅବସ୍ଥାରେ କଣ୍ଟାବାଞ୍ଜି ଠାରୁ କର୍ଲାବାହାଲି ରାସ୍ତା

3

 

ବଲାଙ୍ଗୀର,ଶାସକ ପ୍ରଶାସକ (ଘନଶ୍ୟାମ ନାଗ):-ତୁରେକେଲା ବ୍ଲକର ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କର୍ଲାବାହାଲିରୁ କଣ୍ଟାବାଞ୍ଜିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଏବେ ଅତି ଶୋଚନୀୟ ହୋଇ ପଡ଼ିଛି। ଦୀର୍ଘଦିନ ଧରି ରାସ୍ତାର ମରାମତି ନ ହେବାରୁ ସମଗ୍ର ରାସ୍ତାଟି କଣ୍ଟାକୁଣ୍ଡଳୀ, ଗଡ଼ି-ଗଡ଼ିଆ, ଧୁଳିମାଟି ଓ ବର୍ଷାକାଳରେ ଖାଳିଆ ପୋଖରୀର ଆକାର ନେଇଛି। ଗାଡ଼ି ଚଳାଚଳ ସହିତ ସାଧାରଣ ଲୋକଙ୍କ ପାଇଁ ଯାତାୟାତ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ସର୍ବାଧିକ କଷ୍ଟର ସମ୍ମୁଖୀନ ହେଉଛନ୍ତି ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀ। ପ୍ରତିଦିନ ଏହି ରାସ୍ତାଦେଇ କର୍ଲାବାହାଲି ଓ ପାର୍ଶ୍ୱବର୍ତ୍ତୀ ଗ୍ରାମର କୋମଳ ମତୀ ଶିଶୁଛାତ୍ରଛାତ୍ରୀମାନେ କଣ୍ଟାବାଞ୍ଜି ଓ ଅନ୍ୟାନ୍ୟ ସ୍ଥାନକୁ ସ୍କୁଲ୍-କଲେଜ ପାଇଁ ଯାତ୍ରା କରୁଛନ୍ତି। କିନ୍ତୁ ରାସ୍ତାର ଦୟନୀୟ ଅବସ୍ଥାରୁ ଏହା ସେମାନଙ୍କ ପାଇଁ ବିପଦପୂର୍ଣ ଓ ଶାରୀରିକ କଷ୍ଟକର ହୋଇପଡ଼ିଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, “ବର୍ଷା ସମୟରେ ରାସ୍ତା କାଦୁଅପୂର୍ଣ୍ଣ ହେଉଥିବାରୁ ପାଦରେ ଚାଲିକି ସ୍କୁଲ୍ ପହଞ୍ଚିବାଟା ଦୁଷ୍କର ହୋଇପଡ଼ୁଛି। ବାଳକ ବାଳିକାଙ୍କ ଖସିପଡ଼ି ଆହତ ହେବାର ଘଟଣା ସାଧାରଣ କଥା ହୋଇଗଲା।” ସାଧାରଣ ଜନତା, ବିଶେଷ କରି ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ବର୍ଷରୁ ବର୍ଷ ଦାବି ସତ୍ତ୍ୱେ ମଧ୍ୟ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ କୌଣସି ସୁଧାରଣୀୟ ପଦକ୍ଷେପ ଗ୍ରହଣ କରାଯାଇନାହିଁ। “ଆମେ ବାରମ୍ବାର ଅଧିକାରୀଙ୍କୁ ରାସ୍ତାରେ ମରାମତି ପାଇଁ ଅନୁରୋଧ କରିଛୁ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳୁନାହିଁ,” ବୋଲି ଅନେକ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ। ସମ୍ପ୍ରତି, ଏହି ଶୋଚନୀୟ ରାସ୍ତାକୁ ଦୃଷ୍ଟିରେ ରଖି, ଗ୍ରାମବାସୀମାନେ ସଚେତନତା ସୃଷ୍ଟି କରି ପ୍ରଶାସନଙ୍କ ଧ୍ୟାନ ଆକର୍ଷଣ ପାଇଁ ପଦକ୍ଷେପ ନେବାକୁ ସଜବାଜ ଚାଲିଛି। ଗ୍ରାମବାସୀମାନଙ୍କ ଦାବି, “କଣ୍ଟାବାଞ୍ଜି ରୁ କର୍ଲାବାହାଲି ରାସ୍ତାକୁ ଯଥାଶୀଘ୍ର ପୁନଃର୍ନିର୍ମାଣ କିମ୍ବା ମରାମତି କରାନ୍ତୁ, ନହେଲେ ଆମେ ତୀବ୍ର ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ।” ସଡ଼କର ଏହି ଦୟାନୀୟ ଅବସ୍ଥାରେ କିଛି ଅପରିହାର୍ଯ୍ୟ ଦୁର୍ଘଟଣା ଘଟିବା ପରେ କି ପ୍ରଶାସନ ଜାଗ୍ରୁତ ହେବ?

Leave A Reply

Your email address will not be published.