ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ୨୦୧୯ ବ୍ଯାଚ ଓଏଏସ ଟପ୍ପର ତଥା ବାମରା ତହସିଲଦାର ଅଶ୍ବିନୀ ପଣ୍ଡା ଗିରଫ

3

ସମ୍ବଲପୁର(ଲିପନ ନାଏକ ): ଏହି ଉତ୍କୋଚ ଟଙ୍କା ଦେଣ ନେଣରେ ପ୍ରମୁଖ ମାଧ୍ୟମ ସାଜି ଆସୁଥିବା ଶ୍ରୀ ପଣ୍ଡାଙ୍କ ଗାଡି ଡ୍ରାଇଭର ପ୍ରବୀଣ କୁମାରକୁ ମଧ୍ଯ ଗିରଫ କରାଯାଇଛି ବୋଲି କହିଛନ୍ତି ସମ୍ବଲପୁର ଭିଜିଲାନ୍ସ ଏସପି ପ୍ରଦ୍ଯୁମ୍ନ କୁମାର ଦ୍ବିବେଦୀ | ତହସିଲଦାର ଶ୍ରୀ ପଣ୍ଡା ଗତ ଜୁଲାଇ ମାସରେ କାର୍ଯ୍ଯରେ ଯୋଗ ଦେବା ପରେ ଭଡ଼ା ଘରଟିଏ ନପାଇ ନିକଟସ୍ଥ ଆଇବିରେ ରହୁଥିଲେ ।

ସୂଚନାନୁଯାୟୀ ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ବ୍ୟକ୍ତିଙ୍କ ଏକ ଜମିର ମ୍ୟୁଟେସନ ଓ ଚାଷରୁ ଘରବାରୀ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସରେ ଆବେଦନ କରିଥିଲେ। ମାତ୍ର ଏହି କାର୍ଯ୍ୟ ପାଇଁ ତହସିଲଦାର ଅଶ୍ୱିନୀ ପଣ୍ଡା ମୋଟା ଅଙ୍କର ଲାଞ୍ଚ ଦାବି କରିଥିଲେ । ଏପରିକି ଏଥିରେ କିଛି କୋହଳ କରିବା ପାଇଁ ଭିକି ଅନୁରୋଧ କରିଥିଲେ ମଧ୍ୟ ଶ୍ରୀ ପଣ୍ଡା ରୋକଠୋକ ମନା କରିଦେଇ ଥିଲେ । ଜମିର କିସମ ପରିବର୍ତ୍ତନ ଜରୁରୀ ଓ ତହସିଲଦାରଙ୍କ ଦାବି ମୁତାବକ ଉତ୍କୋଚର ଜରୁରୀ ସମାଧାନ କରିନପାରି ଶେଷରେ ସମ୍ବଲପୁର ଭିଜିଲାନ୍ସ ନିକଟରେ ଗୁହାରି କରିଥିଲେ।ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ତହସିଲଦାର ଶ୍ରୀ ପଣ୍ଡାଙ୍କ ଗାଡି ଡ୍ରାଇଭର ପ୍ରବୀଣ କୁମାର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ନିର୍ଦ୍ଧିଷ୍ଟ ସ୍ଥାନରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ସେହିଠାରେ ହିଁ ଟଙ୍କା ସହ ପ୍ରବୀଣକୁ ମାଡି ବସିଥିଲେ। ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ ପ୍ରବୀଣ ସମସ୍ତ ତଥ୍ୟ ଦେବା ପରେ ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଥିବା ପ୍ରବୀଣ କୁମାରକୁ ଭିଜିଲାନ୍ସ ସମ୍ବଲପୁର ହେଡ କ୍ୱାର୍ଟରକୁ ଉଠାଇ ନେଇଥିବା ଜଣାପଡିଛି। ଘଟଣାର ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଭିଜିଲାନ୍ସ ଜାଲରେ ଶ୍ରୀ ପଣ୍ଡା ପଡିବା ପରେ ତାଙ୍କର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ସେହିପରି ତାଙ୍କ ପତ୍ନୀ ରହୁଥିବା ଫ୍ଲାଟରୁ ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି ବୋଲି ସମ୍ବଲପୁର ଭିଜିଲାନ୍ସ ଏସପି ପ୍ରଦ୍ଯୁମ୍ନ ଦ୍ବିବେଦୀ ସୂଚନା ଦେଇଛନ୍ତି ।ଉଲ୍ଲେଖଯୋଗ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଜମିବାଡ଼ି ସମ୍ପର୍କିତ କାଗଜାତ ସଂଶୋଧନ ଓ ବିକ୍ରିବଟାରେ ବ୍ୟାପକ ଦୁର୍ନୀତି ହେଉଥିବା ଯୋଗୁଁ ଏବେ ଏହି ବିଭାଗକୁ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ନେଉଛି ।

Leave A Reply

Your email address will not be published.