୭ ବିଦ୍ୟାଳୟର ୬ ଗୋଟି ଶ୍ରେଣୀକୁ ଜଣେ ଶିକ୍ଷକ

4

ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅଭାବନୀୟ ଚିତ୍ର


ଓଡ଼ଗାଁ,୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ୭ ପ୍ରାଥମିକ ବିଦ୍ୟାଳୟର ୬ ଗୋଟି ଶ୍ରେଣୀ ପାଇଁ ଜଣେ ମାତ୍ର ଶିକ୍ଷକ ଏବଂ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୯ ଗୋଟି ଶ୍ରେଣୀ ପାଇଁ ମଧ୍ୟ ଜଣିଏ ଶିକ୍ଷକ ରହିଥିବା ବେଳେ ଅନ୍ୟ ୫ ଗୋଟି ବିଦ୍ୟାଳୟରେ ସର୍ବନିମ୍ନ ୫ ପରିବର୍ତ୍ତେ ୩ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀରେ ଚାଲିଛି ଶିକ୍ଷାଦାନ ବ୍ୟବସ୍ଥା । ଉକ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ହେଲା ଧଝୋଲା ପ୍ରାଥମିକ ବିଦ୍ୟାଳୟ, ଲିଙ୍ଗରାଜ ପ୍ରସାଦ ପ୍ରାଥମିକ ବିଦ୍ୟାଳୟ, ଗୁଣ୍ଡୁରିବାରି ପ୍ରାଥମିକ ବିଦ୍ୟାଳୟ, ମହୁଲିଆ ପ୍ରାଥମିକ ବିଦ୍ୟାଳୟ, କେନ୍ଦୂପଲ୍ଲି ପ୍ରାଥମିକ ବିଦ୍ୟାଳୟ, ବୁଢାବୁଢିଆଣି ପ୍ରାଥମିକ ବିଦ୍ୟାଳୟ । ସେହିପରି ଉଦ୍ଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରଙ୍ଗଣୀପାଟଣା ଯେଉଁଠି ଜଣେ ମାତ୍ର ଶିକ୍ଷକ ରହିଛନ୍ତି । ଏବଂ ବିନାୟକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆମ୍ବରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶପନିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗିରିଡ଼ିପଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ ଜଣ ଲେଖାଏଁ ଶିକ୍ଷକ ଅଛନ୍ତି । ଏହିଭଳି ଅନେକ ବିଦ୍ୟାଳୟରେ ପିଲାଙ୍କ ଅନୁପାତରେ ଶିକ୍ଷକ ଅନୁପାତ ଖୁବ୍ କମ୍ ଦେଖିବାକୁ ମିଳିଛି । ମୌଳିକ ଅଧିକାର ପରିସର ଭୁକ୍ତ ଶିକ୍ଷା ବ୍ୟବସ୍ଥାରେ କୌଣସିବି ଜଣେ ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ଵାରା ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ପ୍ରତ୍ୟେକ ଶିଶୁଙ୍କ ନିମନ୍ତେ ଆକର୍ଷଣୀୟ ବ୍ୟବସ୍ଥା ଘୋଷଣା କରି ନାମ ଲେଖାଯାଉଛି । ତେବେ ପ୍ରକୃତ ପକ୍ଷେ ଶିଶୁମାନଙ୍କ ନିମନ୍ତେ ପ୍ରାଥମିକ ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଦେଖିବାକୁ ମିଳୁଛି । କୋମଳମତି ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ଆଡ଼କୁ ଆକୃଷ୍ଟ କରିବା ପାଇଁ ଏକ ସୁନ୍ଦର ଆକର୍ଷଣୀୟ ପରିବେଶ ସହିତ ଘରୋଇ ସ୍କୁଲ ପରି ଘର ଅନ୍ୟାନ୍ୟ ଆଧୁନିକ ସୁବିଧା ସୁଯୋଗର ଆବଶ୍ୟକ ରହିଛି । ଯାହା ଶିଶୁ ମାନଙ୍କୁ ବିଦ୍ୟାଳୟ ମଧ୍ୟରେ ବାନ୍ଧି ରଖିପାରିବ । ଏଥିସହିତ ଅନେକ ମୌଳିକ ସମସ୍ୟାର ଅଭାବ ମଧ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଯେପରି ଚାଲିଛି । କେଉଁ ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ରହିଥିଲା ବେଳେ, କେଉଁଠି ଶୌଚାଳୟ ନାହିଁ । କେଉଁଠି ଖେଳ ପଡିଆ ନାହିଁ ତ କେଉଁଠି ନିରାପଦ ପରିବେଶ ଅଭାବ ରହିଛି । ଏଥିସହିତ ଆନୂପାତିକ ଭିତିରେ ଶିକ୍ଷକଙ୍କ ଅଭାବ ରହିଛି । ଏପରି ସ୍ଥଳେ ବର୍ତ୍ତମାନର ଗୁଣାତ୍ମକ ତଥା ମୂଲ୍ୟବୋଧ ଭିତ୍ତିକ ନୂତନ ଶିକ୍ଷା ନୀତିର ପ୍ରୟୋଗ ବିଧି ବଦ୍ଧ ଭାବେ କାର୍ଯ୍ୟକାରୀ କରିବାକୁ ହେଲେ ଉପରୋକ୍ତ ସମସ୍ୟା ପ୍ରତି ସ୍ବତନ୍ତ୍ର ଭାବରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.