ଓପିଜିସି ୮୩.୮ ପ୍ରତିଶତ ପିଏଲ୍‌ଏଫ୍ ସହ ଦ୍ବିତୀୟ ସ୍ଥାନରେ

0

ଝାରସୁଗୁଡ଼ା: ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ ଲିମିଟେଡ୍ (ଓପିଜିସି) ୨୦୨୪-୨୫ ଆର୍ଥିକ ବର୍ଷରେ ୮୩.୮୦ ପ୍ରତିଶତ ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର୍ (ପିଏଲ୍‌ଏଫ୍) ହାସଲ କରି ଭାରତର ସମସ୍ତ ରାଜ୍ୟ ସରକାର ଅଧୀନ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ମଧ୍ୟରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ଦ୍ବାରା ଓପିଜିସି ଭାରତର ସମସ୍ତ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ମଧ୍ୟରେ ୧୯ତମ ସ୍ଥାନ ହାସଲ କରିଛି ବୋଲି ଆଜି ଝାରସୁଗୁଡ଼ାରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓପିଜିସି ସିନିୟର୍ ଭାଇସ୍ ପ୍ରେସିଡେଣ୍ଟ (ଅପରେସନ୍) ସୁକାନ୍ତ ମହାପାତ୍ର କହିଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷରେ କମ୍ପାନିର ଉଲ୍ଲେଖନୀୟ ପ୍ରଦର୍ଶନ ଉପରେ ଆଲୋକପାତ କରି ଶ୍ରୀ ମହାପାତ୍ର କହିଥିଲେ ଯେ, ଝାରସୁଗୁଡ଼ା ବନହରପାଲିରେ ଥିବା କମ୍ପାନିର ଇବ୍ ଥର୍ମାଲ୍ ପାୱାର୍ ଷ୍ଟେସନ୍ ନୂତନ ମାନଦଣ୍ଡ ସ୍ଥାପନ କରିଛି। ଯେଉଁଥରେ ଦୁଇଟି ୨୧୦ ମେଗାଓ୍ବାଟ୍ ୟୁନିଟ୍ ଏବଂ ଦୁଇଟି ସୁପର କ୍ରିଟିକାଲ୍ ୬୬୦ ମେଗାୱାଟ୍ ୟୁନିଟ୍ (ମୋଟ: ୧୭୪୦ ମେଗାୱାଟ୍) ଅନ୍ତର୍ଭୁକ୍ତ। ଗତ ଡିସେମ୍ବର ୨୦୨୪ରେ ଇବ ଥର୍ମାଲ ପାୱର୍ ଷ୍ଟେସନ ୯୪.୫% ରେକର୍ଡ ପିଏଲ୍‌ଏଫ୍ ହାସଲ କରିଛି। ସେହିପରି ୟୁନିଟ୍ ୧ ଏବଂ ୟୁନିଟ୍ ୩ ବିନା କୌଣସି ବିଭ୍ରାଟରେ ଯଥାକ୍ରମେ ୧୬୨ ଏବଂ ୧୭୧ ଦିନ ପାଇଁ ନିରକ୍ଷର ଚାଲିଥିବାରୁ ଏହି ସଫଳତା ପ୍ରାପ୍ତ ହୋଇଛି।

ଶ୍ରୀ ମହାପାତ୍ର ଆହୁରି ସୂଚନା ଦେଲେ ଯେ, ୟୁନିଟ୍ ୫ ଏବଂ ୬ ଜୁନ୍ ୨୦୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ଲକ୍ଷ୍ୟ ରହିଛି। ପୁନରୁଦ୍ଧାର କରାଯାଇଥିବା ପାଉଁଶ ପୋଖରୀ ଜମି ଉପରେ ୫୦ ମେଗାଓ୍ବାଟ୍ ସୌର ଶକ୍ତି ପ୍ଳାଣ୍ଡ୍ ନିର୍ମାଣ କରାଯିବ। ଇନଟେକ୍ ଚ୍ୟାନେଲ୍ ସ୍ନାପ୍ ଉପରେ ୨.୫ ମେଗାୱାଟ୍ ସୌରଚାଳିତ ବିଦ୍ୟୁତ୍ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରଯିବା ସହ ଓଡ଼ିଶାରେ ସବୁଜ ଶକ୍ତି ଉତ୍ପାଦନକୁ ଆଗେଇ ନେବାର ଦୂରଦୃଷ୍ଟି ସ୍ବରୂପ ୨ ୨ ଜିଡବ୍ଲୁ ସୌର-ପବନ ହାଇବ୍ରିଡ୍ ପ୍ରକଳ୍ପ ପାଇଁ ମଧ୍ୟ ଯେଜନା ଚାଲିଛି। ୭୫୭ କୋଟି ଟଙ୍କା ନିବେଶରେ ପୁରାତନ ୟୁନିଟ୍ ୧ ଏବଂ ୨ର ନବୀକରଣ ଏବଂ ଆଧୁନିକୀକରଣ ପ୍ରକଳ୍ପ ଆଗେଇ ଚାଲିଛି।

ପ୍ରଦୂଷଣ ନିୟନ୍ତ୍ରଣର ସମସ୍ତ ଅଧୁନିୟମକୁ ପାଳନ କରିବାକୁ ଓପିଜିସି ବଦ୍ଧପରିକର। ଫ୍ଲାଇଆସ୍ ପରିଚାଳନା ନେଇ ରହିଥ‌ିବା ଆହ୍ବାନକୁ ସଫଳତାର ସହ ସାମ୍‌ନା କରୁଥିବା ମ୍ୟାନେଜିଂ ଡାଇରେକ୍ଟର୍ କେଦାର ରଞ୍ଜନ ପାଣ୍ଡୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ଅପରେସନ୍) ଏ.ଆର. ଦାଶ, ସିନିୟର ଜିଏମ୍ (ଏଚ୍ଆର) ଶୁଭାଶିଷ ମୁଖାର୍ଜୀ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.