ଗୋରୁ ପଲ୍ଲଙ୍କ ଅବରୋଧରେ ରାଜ୍ୟ ସଡ଼କ, ଦୁର୍ଘଟଣା ସହିତ ଗମନାଗମନରେ ବାଧା ସୃଷ୍ଟି,

2

ଓଡ଼ଗାଁ,୨୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ଦେଇ ଯାଇଥିବା ନୟାଗଡ଼ – ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ପ୍ରତି ସନ୍ଧ୍ୟାରୁ ଗୋରୁ ପଲ୍ଲଙ୍କ ଦ୍ଵାରା ଅବରୋଧ ହୋଇ ରହୁଛି । ବୁଲା ଗୋରୁଗାଈଙ୍କ ଯୋଗୁଁ ସାଧାରଣ ଗମନାଗମନ ବାଧାପ୍ରାପ୍ତ ହେଉଥିବା ବେଳେ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ଅନ୍ୟପକ୍ଷରେ ଦୁର୍ଘଟଣା ଘଟିବା ସମୟରେ କେତେକ ଗୋରୁଗାଈ ଗୁରୁତର ଆହତ ହେଉଥିବା ବେଳେ କେତେକଙ୍କ ମୃତ୍ୟୁ ଘଟିଥାଏ । ହେଲେ ଦୁର୍ଘଟଣା ଘଟିଥିଲେ ନିଜକୁ ସୁରକ୍ଷିତ ରଖିବା ପାଇଁ ଗୋପାଳକ ମାନେ ନିଜଠାରୁ ଦୋଷ ଛଡ଼ାଇ ରହି ଯାଇଥାନ୍ତି । ରାସ୍ତା ଅବରୋଧ ହେଉ ଅଥବା ଦୁର୍ଘଟଣା ଘଟୁ, ଫସଲ ନଷ୍ଟ ହେଉ ଅବା କାହାର କିଛି କ୍ଷତି ଘଟୁ ସେଥିରେ ତାଙ୍କର ଯାଏ ଆସେ ନାହିଁ । ଗୁରୁବାର ସନ୍ଧ୍ୟାରେ ରାଜ୍ୟ ରାଜପଥର ମୁଖ୍ୟ ସଡ଼କ ସିନେମା ହଲ ଛକ, ଚୁଡା ମିଲି ବସଷ୍ଟାଣ୍ଡ, ହନୁମାନ ଛକ, ରେଞ୍ଜର ଅଫିସ ସାମ୍ନା, ସନ୍ତୋଷୀମା ମନ୍ଦିର ମୁଖ୍ୟ ରାସ୍ତା ସହିତ ସାହି ସାହିରେ ମେଞ୍ଚା ମେଞ୍ଚା ହୋଇ ଗାଈଗୋରୁ ଶୋଇବା ସହିତ ଖୋଲାରେ ବୁଲୁଛନ୍ତି । ସବୁଦିନ ଏପରି ପରିସ୍ଥିତି ଦେଖାଯାଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୈଣସୀ ପଦକ୍ଷେପ ଗ୍ରହଣ ନକରିବା ଚିନ୍ତାର କାରଣ ହୋଇଛି । ଏନେଇ ଶୁକ୍ରବାର ଦିନ ଓଡ଼ଗାଁ ବଜରଙ୍ଗ ଦଳର ଯୁବନେତା ସନ୍ତୋଷ କୁମାର ପ୍ରଧାନ ଏନ୍ଏସି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଖୁବଶୀଘ୍ର ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ଏକ ଗୋଶାଳା ନିର୍ମାଣ କରାଯାଇ ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା କହିଛନ୍ତି ।

Leave A Reply

Your email address will not be published.