ବିଜେପୁର :-ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରଠାରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ। କିନ୍ତୁ ପରିତାପର ବିଷୟ ବିଜେପୁର ସହରର ପ୍ରବେଶପଥ କୁହାଯାଉଥିବା କଲେଜରୋଡ, ଯାହାକି ବିଜେପୁର ଦମକଳ କେନ୍ଦ୍ର ଠାରୁ କଲେଜ ଛକ ପର୍ଯ୍ୟନ୍ତ ଅଛି ତା’ର୍ ଅବସ୍ଥା ଅତି ଦୟନୀୟ। ରାସ୍ତାସାରା ଖାଲ ଖମା ଭରିରହିଥିବା ବେଳେ, ବହୁ ପୂର୍ବରୁ ଏହାର ମରାମତି ହେଇଥିବା ସୂଚନା ମିଳୁଛି। ଏହି ରାସ୍ତାରେ ବିଜେପୁର କଲେଜ ରହିଥିବା ବେଳେ, ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ଏହି ରାସ୍ତା ଉପରେ ନିର୍ଭରଶୀଳ। ପ୍ରତିଦିନ ସହରକୁ ବେପାର ଉବ୍ଦେଶ୍ୟରେ ମଧ୍ୟ ଶହଶହ ଲୋକ ଯିବା ଆସିବା କରନ୍ତି। ରାସ୍ତା ଖରାପଥିବା ଯୋଗୁଁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ତେବେ ଏହା ଏକ ସଂକୀର୍ଣ୍ଣ ରାସ୍ତା ହୋଇଥିବା ସତ୍ତ୍ଵେ ଭାରୀଯାନ ମଧ୍ୟ ଚଳାଚଳ କରୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସ୍କୁଲ ଓ ଅଫିସ ସମୟରେ ଏହି ଟ୍ରାଫିକ ପାଇଁ ଅହେତୁକ ବିଳମ୍ବର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ ଓ ଅଫିସ କର୍ମଚାରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତାଟା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଅଛି ଏବଂ ଖୋଦ୍ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ରାସ୍ତାରେ ରହିଛି। ଏନେଇ ଆମେ ବିଜେପୁର ବ୍ଳକ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଉପରିସ୍ଥ ଅଧିକାରୀଙ୍କୁ ଏନେଇ ଅବଗତ କରିଥିବା କଥା କହିବା ସହ ଏହା ଖୁବ୍ ଶୀଘ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ରୁ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନକୁ ନେବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି। ତେବେ ସରକାରୀ ନାଲିଫିତା ତଳେ ଦିନଗଣୁଥିବା ଏହି ରାସ୍ତାଟି ଦିନକୁ ଦିନ ରକ୍ତମୁଖା ହେବାରେ ଲାଗିଛି। ସରକାରୀ ବିଳମ୍ବ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ତେବେ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ବିଜେପୁରବାସୀ ଦୃଢ ଦାବି କରିବା ସହ ଆଗାମୀ ଦିନରେ ଏହା ଏକ ବିରାଟ ଜନଆନ୍ଦୋଳନରେ ପରିଣତ ହେବ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.