ପିସିସି ନବନିଯୁକ୍ତ ଆଦିବାସୀ ବିଭାଗ ସଭାପତିଙ୍କୁ ସମ୍ବର୍ଦ୍ଧନା

7
  • ସୁବର୍ଣ୍ଣ ଓ ମୋହନଙ୍କ ପରେ କେନ୍ଦୁଝର ଜିଲ୍ଲାକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦ

ଯଶୋବନ୍ତ ନାରାୟଣ ସିଂହ ଲାଗୁରି ହେଲେ ପ୍ରଦେଶ କଂଗ୍ରେସ ଆଦିବାସୀ ମୋର୍ଚ୍ଚା ସଭାପତି

କେନ୍ଦୁଝର, ତା ୧/୬- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆଦିବାସୀ ମୋର୍ଚ୍ଚା ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଶ୍ରୀ ଯଶୋବନ୍ତ ନାରାୟଣ ସିଂହ ଲାଗୁରିଙ୍କୁ ନିଯୁକ୍ତି ମିଳିଛି। ଶ୍ରୀ ଲାଗୁରି କେନ୍ଦୁଝର ଜିଲ୍ଲାର ଖଣିଖାଦାନ ଭରା ଚମ୍ପୁଆ ସବଡିଭିଜନର ରାମଲା ବାସିନ୍ଦା ଅଟନ୍ତି। ସେ ପୂର୍ବରୁ ଲୋକସଭା ସାଂସଦ ଥିଲାବେଳେ ତାଙ୍କ ବାପା ଧନୁର୍ଜ୍ଜୟ ଲାଗୁରି ଅନେକ ଥର ଚମ୍ପୁଆରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ସେହିପରି ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଶକୁନ୍ତଳା ଲାଗୁରି ମଧ୍ୟ କେନ୍ଦୁଝର ଲୋକସଭା କ୍ଷେତ୍ରରୁ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ। ଏବେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସର ନବ କଳେବର ଚାଲିଥିବା ବେଳେ ଶ୍ରୀ ଲାଗୁରି ଏହି ନିଯୁକ୍ତି ପାଇଛନ୍ତି। ପୂର୍ବରୁ ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ପିସିସିର ସାଧାରଣ ସମ୍ପାଦକ ଓ ମୋହନ ହେମ୍ବ୍ରମଙ୍କୁ ରାଜ୍ୟ ସମ୍ପାଦକ ରୂପେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାରେ କଂଗ୍ରେସ ଏବେ ବରିଷ୍ଠ ନେତାଙ୍କୁ ନୂତନ ନିଯୁକ୍ତି ଦେଇ ସମରସଜ୍ଜା ଆରମ୍ଭ କରିଥିବା ଆଲୋଚନା ହେଉଛି।

କାଲି ଏଆଇସିସି କଂଗ୍ରେସ କମିଟି ପକ୍ଷରୁ ମହାସଚିବ କେସି ଭେନୁଗୋପାଳଙ୍କ ସ୍ଵାକ୍ଷରରେ ଏହି ନୂତନ ନିଯୁକ୍ତି ପତ୍ର ପ୍ରକାଶିତ ହେବା ପରେ କେନ୍ଦୁଝର କଂଗ୍ରେସ ଓ ଚମ୍ପୁଆ ଅଂଚଳରେ ଖୁସିର ମାହୋଲ ଖେଳିଯାଇଛି। କେନ୍ଦୁଝର କଂଗ୍ରେସ ଭବନରେ ଜିଲ୍ଲା ସଭାପତି ମୋହନ ଚରଣ ପରିଡ଼ାଙ୍କ ନେତୃତ୍ୱରେ ଶ୍ରୀ ଲାଗୁରିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏଥିରେ ରାଜ୍ୟ କଂଗ୍ରେସ ବିଧାୟକ ଦଳର ସଭାପତି ରାମଚନ୍ଦ୍ର କାଡାମ ଓ ବରିଷ୍ଠ କଂଗ୍ରେସ ନେତା ଶ୍ୟାମସୁନ୍ଦର ହାଂସଦା ଉପସ୍ଥିତ ଥିଲେ। କଂଗ୍ରେସ ନେତା ସୁବର୍ଣ୍ଣ ନାୟକ, ବିନୋଦ ନାୟକ, ନିର୍ମଳ ନାୟକ, ରତ୍ନାକର ଜେନା, ସୁଢଳ କୁମାର ସେଠି ପ୍ରମୁଖ ଏହି ନୂତନ ନିଯୁକ୍ତି ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.