ଗଙ୍ଗାଧର ଟାଉନ ହଲ୍ ଓ ଅଡିଟୋରିୟମ୍ ନିର୍ମାଣ କେବେ ସରିବ

2

 

ବରଗଡ ଜ଼ିଲ୍ଲା ବରପାଲିଠାରେ ଗଙ୍ଗାଧର ଟାଉନ ହଲ୍ ଓ ଅଡିଟୋରିୟମ୍‌ର ନିର୍ମାଣ ପାଇଁ ପୃଥକ ପୃଥକ ଭାବରେ ୨ଟି ସ୍ଥାନରେ ଗୋଟିଏ ପ୍ରକଳ୍ପକୁ ଉଦ୍‌ଘାଟନ କରାଯାଇଥିଲା। ବରପାଲି ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇଥିବା ହେତୁ ଏହାର ଉନ୍ନତୀକରଣ ପାଇଁ ଟାଉନ ହଲ ସହ ଅଡିଟୋରିୟମ ଲାଗି ୨୦୧୮ ମସିହା ଜୁଲାଇ ୩୧ ତାରିଖରେ ନୋଟିସ ନମ୍ବର ୧୩୫ ୪ରେ ଟେଣ୍ଟର ଡକାଯାଇ ଏହି ପ୍ରକଳ୍ପ ପାଇଁ ୮୬ ଲକ୍ଷ ୮୯ ହଜାର ୭୯୧ ଟଙ୍କା ମଞ୍ଜୁର ହୋଇ ଏହାର କାର୍ଯ୍ୟାଦେଶ ଦିଆଯାଇଥିଲା । ଏହାର ନିର୍ମାଣ କରାଯିବା ପାଇଁ ଟାଉନ ମଧ୍ୟରେ ସ୍ଥାନ ନଥିବାରୁ ଗଙ୍ଗାଧର କ୍ଲବ ପଛ ପଟେ ବା ବସ୍‌ଷ୍ଟାଣ୍ଡ ନିକଟରେ ବରପାଲି ଜମିଦାର ଶିବନାରାୟଣ ସିଂଦେଓ ଗତ ୧ ଡିସେମ୍ବର ୨୦୧୭ରେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗୀରଥି ପ୍ରଧାନଙ୍କୁ ରେଜିଷ୍ଟ୍ରି ଦଲିଲ ମାଧ୍ୟମରେ ୭୦ ଡିସିମିଲ ଜମି ପ୍ରଦାନ କରିଥିଲେ ଯାହାର ମେଜର ଖାତା ନମ୍ବର ୪୮୩, ପ୍ଲଟ ନମ୍ବର ୮୬୭ ଅଟୋ ଜମି ହସ୍ତାନ୍ତର ପରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ବରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ମୁଖ୍ୟ ଅତିଥି ତତ୍କାଳୀନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସମ୍ମାନିତ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଏନ୍ଏସି ଅଧ୍ୟକ୍ଷା ମୀନା ସେଠ, ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ଏହାର ଉଦ୍‌ଘାଟନ କରିଥିଲେ ହେଲେ ଉକ୍ତ ଟାଉନ ହଲ ଓ ଅଡିଟୋରିୟମ ନିର୍ମାଣ ସକାଶେ ବହୁ ପୁରାତନ ଅନୁଷ୍ଠାନ ଗଙ୍ଗାଧର ସ୍ମୃତିଭବନ, ରଙ୍ଗମଞ୍ଚ ଓ ଗଙ୍ଗାଧର କ୍ଲବକୁ ଭଙ୍ଗାଯାଇ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୭୦୦ ସିଟ୍ ପାଇଁ ଦାବି ହୋଇଥିବା ବେଳେ ତହିଁରେ ୩୦୦ ସିଟ୍ ହିସାବରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି। ବର୍ତ୍ତମାନ ଉକ୍ତ ସ୍ଥାନରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଛି । ଉଲ୍ଲେଖଯୋଗ୍ୟ ଯେ, ଟାଉନ ହଲନିର୍ମାଣ ପାଇଁ ଭୂମିଦାନ କରିଥିବା ଜମିଦାତାଙ୍କ ମହତ ଉଦ୍ଦେଶ୍ୟ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ କଳାକାର ଓ ବୁଦ୍ଧିଜୀବୀ ମହଲକୁ ସୁହାଇଲା ଭଳି କାର୍ଯ୍ୟ ହୋଇଥିବାରୁ ଏନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭାଗୀୟ ଅଧିକାରୀଙ୍କଠାରେ ଦାବି ହୋଇ ଆସୁଥିଲେ ସୁଦ୍ଧା କୌଣସି ଏ ପର୍ଯ୍ୟନ୍ତ ସୁଫଳ ମିଳିପାରି ନାହିଁ। ଏନେଇ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ ଶତପଥୀଙ୍କୁ ପଚରାଯିବାରୁ ପାଣ୍ଠି ଆସିଲେ ଏହାର ପୁନଃନିର୍ମାଣ କରାଯିବ ବୋଲି କହିଥିଲେ। ଏଣୁ ଜିଲ୍ଲାପାଳ ଏହାର ତୁରନ୍ତ ବିହିତ ପଦକ୍ଷେପ ସହ ପୁନଃନିର୍ମାଣ ପାଇଁ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l

Leave A Reply

Your email address will not be published.